କରୋନା କଟକଣା ଯୋଗୁଁ ଫିକା ପଡ଼ିଛି ପହିଲି ରଜ

ଭୁବନେଶ୍ବର: ଆଜି ପହିଲି ରଜ। ଓଡ଼ିଆ ପରିବାରର ବଡ଼ ପର୍ବ। ହେଲେ କରୋନା କଟକଣା ଯୋଗୁଁ ଫିକା ପଡ଼ିଛି ଗଣପର୍ବ।ଗାଁଠୁ ସହର କେଉଁଠି ବି ଦେଖିବାକୁ ମିଳୁନି ପୂର୍ବ ପରି ଉତ୍ସାହ ଉଦ୍ଦୀପନା l କରୋନା କଟକଣା ପାଇଁ ସାମୁହିକ ରଜ ପର୍ବର ଆୟୋଜନ ହେଉନଥିଲେ ମଧ୍ୟ ଘରେ ରହି ରଜ ପାଳନ କରୁଛନ୍ତି ଲୋକେ। ଗାଁଠୁ ସହର ସବୁଠି ପିଠାପଣାର ମହକ।
ରଜ ନାଁ ଶୁଣିଲେ ପ୍ରତିଟି ଓଡିଆ ବିଦେଶରେ ଥିଲେ ବି ଟିକେ ସମୟ ପିଲାବେଳର ସେହି ସ୍ମୃତିକୁ ମନେ ପକାଇବାଲାଗି ନିଜକୁ ବାଧ୍ୟ କରିଥାଏ। କାରଣ ରଜ ହେଉଛି ପ୍ରତିଟି ଓଡ଼ିଆଙ୍କ ପର୍ବ।ସାଧାରଣତଃ ରଜକୁ ଏକ କୃଷିଭିତ୍ତିକ ପର୍ବ କୁହାଯାଇଥାଏ। ଏହାକୁ ତିନି ଦିନ ପାଳନ କରାଯାଇଥାଏ, ମାତ୍ର ଏହି ପର୍ବକୁ ପାଳନ କରିବା ଲାଗି ଗାଁ କହଳିରେ ମାସେ ଆଗରୁ କେତେ କଣ ପ୍ରସ୍ତୁତି ହୋଇଥାଏ।
ଅନେକ ସ୍ଥାନରେ ଯେଉଁମାନେ ବାହାରେ ରହିଥାନ୍ତି ସେମାନେ ଏହି ସମୟରେ ଘରକୁ ଆସିଥାନ୍ତି। ରାଜ ତିନି ଦିନ ଜାଗ ଅନେକ ମଉଜ, ପିଠାପଣାଠୁ ଆରମ୍ଭ କରି ପୁଚିଖେଳ, ରଜ ଦୋଳି, ରଜ ପାନରେ ଗାଁ ଦାଣ୍ଡ ହସିଉଠିଥାଏ। ତିନି ଦିନ ମଧ୍ୟରେ ପ୍ରଥମ ଦିନ ହେଉଛି ପହିଲି ରଜ, ଦ୍ବିତୀୟ ରଜ ସଙ୍କ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମି ଦହନ ଓ ତାପରଦିନ ହେଉଛି ବସୁମତି ସ୍ନାନ। ଝିଅ ମାନେ ଏହି ତିନିଦିନ ଯାକ କୌଣସି କାମ କରିନଥାନ୍ତି।
ସହରଠାରୁ ଗାଁ ଏହି ରଜକୁ ଲୋକେ ଅଧିକ ଯାକଜକମରେ ପାଳନ କରିଥାନ୍ତି ଗାଁର ଝିଅ, ବୋହୁଙ୍କଠୁ ଆରମ୍ଭ କରି ପୁରୁଷ ଓ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଢ଼ଙ୍ଗରେ ରଜକୁ ପାଳନ କରିଥାନ୍ତି। କାରଣ ବର୍ଷକୁ ଥରେ ରଜ ଆସିଛି। ଗାଁ ଦାଣ୍ଡରେ ତାସ, କବାଡିର ଆସର ଜମିଥାଏ। ସହରରେ ଗାଁର ମହକ ନଥିଲେ ଅନେକ ସ୍ଥାନରେ ଯେଉଁ ମାନେ ବାହାରେ ରହୁଛନ୍ତି ସେମାନେ ବି ଏହି ରଜପର୍ବକୁ ପାଳନ କରିଥାନ୍ତି। ହେଲେ କରୋନା କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫିକା ପଡ଼ିଛି ରଜ ମଉଜ।