ଦୁଇଟି ଡୋଜ୍ ଟିକା ନେଇ ବି ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ୍ ଦେବାକୁ ଟିକାକରଣ ଜାରି ରହିଛି। ମାତ୍ର ଏହାରି ମଧ୍ୟରେ ଦୁଇଟି ଡୋଜ୍ ଟିକା ନେଇ ପ୍ରଥମ ମୃତ୍ୟୁ ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ଟିକାକରଣ ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ଗଠିତ କମିଟି ଟିକା ନେଇ ଜଣେ ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି। ୬୮ ବର୍ଷୀୟ ବ୍ୟକ୍ତି କରୋନା ଟିକା ନେବା ପରେ ପ୍ରାଣ ହରାଇଛନ୍ତି।
କରୋନା ଟିକା ନେବା ପରେ ପ୍ରବଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାର ସମୀକ୍ଷା ସରକାରୀ ପ୍ୟାନେଲ ପକ୍ଷରୁ କରାଯାଇଥିଲା। ଏହି ୩୧ଟି କେସ୍ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ଟିକା ନେବା ପରେ ପ୍ରାଣ ହରାଇଥିବା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ୨୦୨୧ ମାର୍ଚ୍ଚ ୮ ତାରିଖରେ ୬୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଟିକା ନେଇଥିଲେ। ଏହାପରେ ତାଙ୍କ ଶରୀରରେ ପ୍ରବଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥିଲା। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଭାରତରେ ପ୍ରଥମ କରୋନା ଟିକା ଜନିତ ମୃତ୍ୟୁ ବୋଲି ଏଇଏଫଆଇର ଅଧ୍ୟକ୍ଷ ଡା ଏନକେ ଅରୋରା କହିଛନ୍ତି।
ଆଉ ଦୁଇ ଜଣ ଜାନୁଆରୀ ୧୯ ଓ ୧୬ରେ ଟିକା ନେବା ପରେ ଗୁରୁତର ଅସୁସ୍ଥ ହୋଇଥିଲେ। ସେମାନେ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।