ଇସ୍ରୋରେ ଓଡ଼ିଆ ପୁଅ ପବିତ୍ର ମୋହନ

କାମାକ୍ଷାନଗର: ଇସ୍ରୋରେ ଓଡ଼ିଆ ପୁଅ। ମହାକାଶ ବିଜ୍ଞାନ ଉପରେ ଗବେଷଣା କରିବେ ଓଡ଼ିଆ ପୁଅ ପବିତ୍ର ମୋହନ ନାୟକ। ସେଥିପାଇଁ ଇସ୍ରୋ (Indian Space Research Organisation)ରେ ଯୋଗଦେଇଛନ୍ତି। ନିଜର କଠିନ ପରିଶ୍ରମ ଓ ଅଧ୍ୟାବସାୟ ବଳରେ ସେ ଏହି ଶିଖରରେ ପହଞ୍ଚିଛନ୍ତି। ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ନୂଆ ଆଳତୁମା ଗାଁର ପବିତ୍ରଙ୍କର ଛୋଟ ବେଳୁ ବିଜ୍ଞାନ ପ୍ରତି ରୁଚି ଥିଲା ପବିତ୍ର ଦିନେ ଜଣେ ବୈଜ୍ଞାନିକ ହେବେ ବୋଲି ଆଶା ରଖିଥିଲେ। ଏହି ସଫଳତା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ଛୁଟୁଛି ଶୁଅ।। ନିଜ ସଫଳତା ଶ୍ରେୟ ଶିକ୍ଷକ ଓ ବାପା-ମାଆଙ୍କୁ ଦେଇଛନ୍ତି ଯୁବ ବୈଜ୍ଞାନିକ ପବିତ୍ର ମୋହନ ନାୟକ।
୨୦୦୮ ମସିହାରେ ଆଳତୁମା ହାଇସ୍କୁଲରୁ ମ୍ୟାଟ୍ରିକ୍ ପରୀକ୍ଷାରେ କରିବା ପରେ ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ ପବିତ୍ର। ଯୁକ୍ତ ଦୁଇ ପାସ୍ କରିବା ପରେ ପରଜଙ୍ଗ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (IGIT)ରୁ ୨୦୧୫ ମସିହାରେ ମେଟାଲୋଜିକଲ ଏଣ୍ଡ୍ ମେଟେରିଆଲ୍ ବିଭାଗରୁ ବି-ଟେକ୍ ଓ କାନପୁର ଆଇଆଇଟିରୁ ମେଟେରିଆଲ୍ ବିଜ୍ଞାନରେ ଏମ୍-ଟେକ ପାସ୍ କରିଥିଲେ ପବିତ୍ର।
ଶିକ୍ଷା ଶେଷ ହେବା ପରେ ୨୦୧୮ ମସିହା ଜୁଲାଇରେ ପବିତ୍ର ଚେନ୍ନାଇ ପଳାଇ ଯାଇଥିଲେ। ସେଠାରେ ସେ ଏକ କମ୍ପାନୀରେ କାମ କରୁଥିଲେ। ପରେ କମ୍ପାନୀ ଛାଡି ୨୦୨୦ ମସିହା ଜାନୁଆରୀରେ ବ୍ରହ୍ମପୁର ସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କଲେଜରେ ଚୁକ୍ତିଭିତ୍ତିକ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ତଥାପି ତାଙ୍କର ବୈଜ୍ଞାନିକ ହେବାର ଆଶା ଜାରି ରହିଥିଲା।
ଚଳିତବର୍ଷ କେରଳର ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ପକ୍ଷରୁ ସର୍ବ ଭାରତୀୟ କ୍ଷେତ୍ରରେ ହୋଇଥିବା ଅନ୍ଲାଇନ୍ ମେରିଟ୍ ଚୟନ ଆବେଦନରେ ସିଲେକଶନ ହୋଇଥିଲେ ପବିତ୍ର। ଇସ୍ରୋ ଡାକରା ଆସିବା ପରେ ଖୁସିର ଲହରୀ ଖେଳି ଯାଇଛି। ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ପବିତ୍ର।