ଆଜିଠୁ ସୁନା ହଲମାର୍କିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ। ଭାରତୀୟ ମାନକ ବ୍ୟୁରୋ (ବିଏସଆଇ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ ଏହା ଲାଗୁ କରାଯିବ। ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଖିଲାପକାରୀଙ୍କ ଠାରୁ କୌଣସି ଜରିମାନା ଆଦାୟ କରାଯିବ ନାହିଁ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପିୟୂଷ ଗୋୟଲ।
ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ସୁନା ଗହଣାରେ ହଲମାର୍କଂ ବାଧ୍ୟତାମୂଳକ କରାଯିବ। ଫଳରେ ଗ୍ରାହକମାନେ ଠକାମିର ଶିକାର ହେବେ ନାହିଁ। ଏଥିପାଇଁ ୨୦୨୧ ଜାନୁଆରୀ ମାସ ୧୫ ତାରିଖ ପର୍ଯ୍ୟନ୍ତ ଡେଡଲାଇନ୍ ଧାର୍ଯ୍ୟ ହୋଇଥିଲା। ମାତ୍ର କୋଭିଡ୍ କାରଣରୁ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା।
ଆଜି ପର୍ଯ୍ୟନ୍ତ ଦେଶରେ ସୁନା ଗହଣାରେ ଉପରେ ହଲମାର୍କିଂ ଇଚ୍ଛାଧୀନ ରହିଥିଲା। ଏଥିପାଇଁ କମ୍ ଗୁଣବତ୍ତାର ସୁନା ଦେଇ ଦୋକାନୀମାନେ ଲୋକଙ୍କୁ ସହଜରେ ଠକି ଆସୁଥିଲେ। ସୁନାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କିଂ ବ୍ୟବହାର କରାଯାଇଥାଏ। ଯଦି କୌଣସି ବ୍ୟବସାୟୀ ଏହି ନିୟମ ପାଳନ କରିବେ ନାହିଁ, ତେବେ ବିଏସଆଇ ଆକ୍ଟ ୨୦୧୬ ସେକ୍ସନ ୨୯ ଅଧୀନରେ ୧ ବର୍ଷ ଜେଲ୍ କିମ୍ବା ୧ ଲକ୍ଷ ଜରିମାନା ଆଦାୟ କରାଯିବ। ଘରେ ରହିଥିବା ସୁନା ଉପରେ ହଲମାର୍କିଂ ବାଧ୍ୟତାମୂଳକ ନୁହେଁ, ଏହା ବିନା ହଲମାର୍କିଂରେ ବିକ୍ରି କରିହେବ ବୋଲି କୁହାଯାଇଛି।