ରଜଦୋଳି ଗୀତ ଲେଖକଙ୍କୁ ନେଇ ଦୂରହେଲା ସଂଶୟ
୧୯୪୯ରେ ଶ୍ୟାମସୁନ୍ଦର ଦାସଙ୍କ ମୂଳ ରଜଦୋଳି ଗୀତଟିକୁ ଆଧାର ଭାବରେ ନେଇ ଏହାର କିଛି ଅଂଶ ବଦଳାଇ ରାଧାରମଣ ରାୟ ରେକର୍ଡ ଗୀତଟି ପ୍ରସ୍ତୁତ କରିଛନ୍ତି। ପରେ ନୟାଗଡ଼ର ମାଗୁଣି ମହାପାତ୍ର ଏହାକୁ ବହି କରି ଛାପିଛନ୍ତି। ମାଗୁଣି ସମ୍ଭବତଃ ନିଜର କାବ୍ୟିକ ପାରଦର୍ଶିତା ଦେଖାଇବା ପାଇଁ ରେକର୍ଡର କିଛି ପଦ ବାଦ ଦେଇଥିବା ବେଳେ ଆଉ କିଛି ପଦ ନିଜେ ଫାନ୍ଦି ଯୋଡ଼ିଥାଇପାରନ୍ତି।

ତଥ୍ୟ ଓ ସତ୍ୟ ସବୁବେଳେ ଆପେକ୍ଷିକ। ସେଇ ମର୍ମରେ ଦୁଇଦିନ ଧରି ରଜଦୋଳି ଗୀତର ରଚୟିତାଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ଏବେ ପ୍ରାୟ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଭାବିବାକୁ ହେବ। କାରଣ ଗୀତର ଅସଲ ଲେଖକ, ସଂଗ୍ରାହକ, ସ୍ବରକାର, ଗାୟକ ଆଦିଙ୍କ ବାବଦରେ ନୂଆ ତଥ୍ୟ ସାମନାକୁ ଆସିଛି।
ଚଳିତ ବର୍ଷ ମେ ୧୪ ତାରିଖ ପହିଲି ରଜ ଦିନ ଗୋଟିଏ ପୁରୁଣା “ରଜଦୋଳି ଗୀତ” ବହି ସାମାଜିକ ଗଣମାଧ୍ୟମରେ ସଂଚରି ଯାଇଥିଲା (ଭାଇରାଲ୍ ହୋଇଥିଲା)। ଗୀତ ବହିଟି ୧୯୫୨ ମସିହାରେ ମୁଦ୍ରିତ ହୋଇଥିବା ବେଳେ ଏହାର ଲେଖକ ଓ ପ୍ରକାଶକ ଥିଲେ ନୟାଗଡ଼ ସହର ଉପକଣ୍ଠ ବୋଦାପଡ଼ା ଗ୍ରାମର ମାଗୁଣି ମହାପାତ୍ର। ସେ ହାରମୋନିୟମ୍ ଓ କ୍ଲାରିଓନେଟ୍ ବଜାଉଥିଲେ ଏବଂ ଚଟି ବହି ସବୁ ଛପାଇ ବୁଲିବୁଲି ବିକ୍ରି କରୁଥିଲେ। ଏ ବହିଟି ବାବଦରେ ଜଣାପଡ଼ିବା ପରେ ସ୍ବାଭାବିକ ଭାବେ ତାଙ୍କୁ ହିଁ ସମସ୍ତେ ରଜଦୋଳି ଗୀତର ଲେଖକ ବୋଲି ଧରି ନେଇଥିଲେ।

ତେବେ ମାଗୁଣିଙ୍କ ଲିଖିତ ବହିର ନାମ “ରଜଦୋଳି ଗୀତ” ନୁହେଁ ବରଂ ଥିଲା “ରେକର୍ଡ ରଜଦୋଳି ଗୀତ”। ବିଗତ ଶତାବ୍ଦୀରେ ଗ୍ରାମଫୋନ୍ ରେକର୍ଡ ସଂଭ୍ରାନ୍ତଙ୍କ ବିଳାସର ସଂକେତ ଥିବା ବେଳେ ସାଧାରଣ ଲୋକେ ଏହାକୁ କିଣିବା ବା ଶୁଣିବାର ଅବକାଶ ନଥିଲା। ଏଣୁ ରେକର୍ଡରୁ ଗୀତ ସଂଗ୍ରହ କରି ଛପାଇ ଓ ତହିଁରୁ ସ୍ବର ଶିଖି ବୁଲିବୁଲି ଗାଇଗାଇ ବହି ବିକ୍ରି କରିବାର ପରମ୍ପରା ଓଡ଼ିଶାର ଗ୍ରାମାଞ୍ଚଳରେ ବେଶ୍ ପ୍ରସିଦ୍ଧ ଥିଲା। ଏପରିକି ମାତ୍ର ୩ ଦଶନ୍ଧି ତଳେ ମଧ୍ୟ “ରେକର୍ଡ ସୀତାଚୋରୀ”, “ରେକର୍ଡ ଦାନୀ ହରିଶ୍ଚନ୍ଦ୍ର”, “ରେକର୍ଡ ଆଧୁନିକ ଗୀତ”, “ରେକର୍ଡ ଡୁଏଟ୍”, “ରେକର୍ଡ ଜଗନ୍ନାଥ ଜଣାଣ” ଓ “ରେକର୍ଡ ସିନେମା ଗୀତ” ଭଳି ବହୁ ବହି ଗାଁ ଯାତ୍ରାରେ ବିକ୍ରି ହେବାର ଏ ଲେଖକ ଦେଖିଛି।
ଏଣୁ ନୟାଗଡ଼ର ମାଗୁଣି ମହାପାତ୍ର ରେକର୍ଡରୁ ସଂଗ୍ରହ କରି “ରଜଦୋଳି ଗୀତ”କୁ ଗ୍ରାମାଞ୍ଚଳରେ ଏହାକୁ ଅଧିକ ପ୍ରସିଦ୍ଧ କରିଥିଲେ। ତେବେ ଗୀତଟି ଲେଖିଥିଲେ କିଏ?
ୟୁଟ୍ୟୁବ୍ରେ “ଓଡ଼ିଆ ମେଲୋଡ଼ି” ନାମରେ ପୁରାତନ ଗୀତର ଏକ ଡିଜିଟାଲ ସଂଗୀତାଗାରରେ ରଜଦୋଳି ଗୀତ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ନାମରେ ଯେଉଁ ଭିଡିଓ ଦୁଇଟି ମିଳିଲା, ସେଥିରେ ଥିବା ଗୀତ ଓ ମାଗୁଣିଙ୍କ ବହିର ପାଠ ପ୍ରାୟ ସମାନ। ଭିଡିଓ ଦୁଇଟି ଅସମ୍ପୂର୍ଣ୍ଣ ଥିବାବେଳେ, ଯେତିକି ପଦ ଉପଲବ୍ଧ ଅଛି ଗୋଟିଏ ଦୁଇଟିକୁ ଛାଡ଼ି ପ୍ରାୟ ସବୁ ପଦ ଅବିକଳ ମାଗୁଣିଙ୍କ ବହିରେ ଛପାହୋଇଛି। ଏଣୁ ମାଗୁଣି ଏହି ରେକର୍ଡରୁ ଗୀତ ନେଇ ବହିଟି ଛାପିଛନ୍ତି ବୋଲି ସ୍ପଷ୍ଟ ହେଲା। ଅବଶ୍ୟ ରାଧାରମଣଙ୍କ ରେକର୍ଡର ଯେତିକି ଅଂଶ ମିଳିଛି ତହିଁରେ ଥିବା ପଦରୁ ବେଶ୍ ଅଧିକ ପଦ ମାଗୁଣିଙ୍କ ବହିରେ ରହିଛି ଓ ଆଉ କେତୋଟି ପଦ ମାଗୁଣିଙ୍କ ବହିରେ ରହିନାହିଁ। ଏଣୁ ହୁଏତ ସମ୍ପୂର୍ଣ୍ଣ ରେକର୍ଡଟି ନକଲ ନକରି ନିଜର କିଛି ସୃଜନ ମିଶାଇଥାଇପାରନ୍ତି ମାଗୁଣି।
ତେବେ ମାଗୁଣିଙ୍କ ପୁସ୍ତକ ଛପାର ସମୟ ୧୯୫୨ ଉଲ୍ଲେଖ ଥିବାବେଳେ “ଓଡ଼ିଆ ମେଲୋଡ଼ି’ ରଜଦୋଳି ରେକର୍ଡର କାଳଖଣ୍ଡ ୧୯୫୫-୧୯୫୮ ବୋଲି ଲେଖିଛନ୍ତି। ରେକର୍ଡ ଲେବଲ୍ (ଅଠାରେ ଲଖାଯାଇଥିବା କାଗଜ ପଟି) ଉପରେ କୌଣସି ମସିହା ଉଲ୍ଲେଖ ନଥିବାରୁ ଏ ତଥ୍ୟ ପ୍ରମାଦପୂର୍ଣ୍ଣ ହୋିପାରେ ବୋଲି ଅନୁମାନ। ରେକର୍ଡଟି ୧୯୫୨ ମସିହା ବା ତହିଁ ପୂର୍ବରୁ ପ୍ରସ୍ତୁତ ହୋଇଥିବ ନିଶ୍ଚୟ।
ରେକର୍ଡ ଉପରେ ଉଲ୍ଲେଖ ରହିଛି “ରଚନା ଓ ପରିଚାଳନା: ରାଧାରମଣ ରାୟ”। ଅର୍ଥାତ୍ ରେକର୍ଡରେ ଥିବା ଗୀତକୁ ଲେଖିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଧାରମଣ ରାୟ। ଏତିରେ ଶ୍ରୀ ରାୟଙ୍କ ସହ କଣ୍ଠଦାନ କରିଛନ୍ତି ପଦ୍ମାବତୀ ଓ ଶେଫାଳି। ଇଏ ହେଉଛନ୍ତି ସେଇ ପ୍ରସିଦ୍ଧ ସଂଗୀତକାର ରାଧାରମଣ ରାୟ ଯିଏ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତାବିବାହ”ର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

ରାଧାରମଣ ରାୟ ଯେ ରଜଦୋଳି ଗୀତର ଲେଖକ ଏକଥା ସନ୍ଦେହମୁକ୍ତ ହେବା ବେଳକୁ ପୁଣି ଗୋଟିଏ ନୂଆନାମ ଯୋଡ଼ିହୋଇ ଆସିଲା। ସେ ହେଉଛନ୍ତି କିଶୋରକବି ଶ୍ୟାମସୁନ୍ଦର ଦାସ। ବେତାର ସଂଗୀତ ଠାରୁ ମଞ୍ଚନାଟକ ଯାଏଁ ବହୁ ଗୀତ ସେ ରଚନା କରିଛନ୍ତି ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରାକ୍ ସ୍ବାଧୀନତା କାଳର ବହୁ ପ୍ରସିଦ୍ଧ ରଙ୍ଗମଞ୍ଚ ସହ ସେ ଜଡ଼ିତ ଥିଲେ। ଅଶ୍ବିନୀକୁମାର ଘୋଷ, ରାମଚନ୍ଦ୍ର ମିଶ୍ରଙ୍କ ଠାରୁ ଆରମ୍ଭକରି ବ୍ୟୋମକେଶ ତ୍ରିପାଠୀ, ଗୋପାଳ ଛୋଟରାୟ ଓ ବିଜୟ ମିଶ୍ରଙ୍କ ପର୍ଯ୍ୟନ୍ତ ବହୁ ପ୍ରସିଦ୍ଧ ନାଟ୍ୟକାରଙ୍କ ପାଇଁ ସେ ଗୀତରଚନା ଓ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ନିଜା ୧୯ଟି ନାଟକ ରଚନା କରିଥିଲେ। ଅନ୍ନପୂର୍ଣା, ଭାରତୀ, ରୂପଶ୍ରୀ, ଏକାମ୍ର ଆଦି ରଂଗମଞ୍ଚ ସହ ସେ ଜଡ଼ିତ ଥିଲେ। ୧୯୧୬ ମସିହାରେ କଟକରେ ଜନ୍ମିତ କବି ଶ୍ୟାମସୁନ୍ଦର ୧୯୪୯ ମସିହାରେ ତାଙ୍କର “ପହିଲିରଜ” ନାଟକ ପାଇଁ ସେ ପ୍ରଥମେ ଏହି ରଜଦୋଳି ଗୀତଟି ଲେଖିଥିଲେ। ନିଜେ ସ୍ବରକାର ହୋଇଥିବାରୁ ରଙ୍ଗମଞ୍ଚ ପାଇଁ ସେ ଏହାକୁ ସ୍ବର ବି ଦେଇଥିବେ। ତେବେ ଏହାର ମଞ୍ଚାୟନ ଓ ସ୍ବର ହୋଇଥିବା ନେଇ କୌଣସି ତଥ୍ୟ ଏଯାଏଁ ମିଳିନାହିଁ।
ଆଉ ଏକ ସୂଚନା। କୋହିନୂର ପ୍ରେସ୍ (କଟକ) ପକ୍ଷରୁ ସେଇ ୧୯୫୨ ମସିହାରେ (ବହି ଭିତରେ ଭିତରେ ୧୯୫୧ ଲେଖା ଅଛି) “ରଜଦୋଳି ଗୀତ” ନାମରେ ଏକ ବହି ପ୍ରକାଶ ପାଇଥିଲା। ଅବଶ୍ୟ ଏହାର ପାଠ ଉପରବର୍ଣ୍ଣିତ ବହି ଓ ରେକର୍ଡର ପାଠ ଠାରୁ ସମ୍ପୂର୍ଣ୍ଣ ଅଲଗା। ଏଥିରେ ରଜଦୋଳି ଗୀତ, ରଜ ସଜବାଜ ଗୀତ, ବାରମାସୀ ଦୋଳି ଗୀତ, ସୀତା ଦୋଳି ଗୀତ ଆଦି ବିଭିନ୍ନ ବିଭାଗରେ ବିଭିନ୍ନ ଗୀତ ରହିଛି। ଏହା ଭିନ୍ନ ବିଭିନ୍ନ ସମୟରେ ଓଡ଼ିଶାରେ ବିଭିନ୍ନ ଲେଖକଙ୍କ ଦ୍ବାରା ରଜଦୋଳି ଗୀତ ଲେଖାଯାଇଛି।

କୁଞ୍ଜବିହାରୀ ଦାଶଙ୍କ “ପଲ୍ଲୀଗୀତି ସଞ୍ଚୟନ”ରେ ପ୍ରାୟ ୧୦୫ ପୃଷ୍ଠାର ଦୋଳି ଗୀତ (ପୃଷ୍ଠା ୧୬୩ରୁ ୨୬୮) ରହିଛି। ଏସବୁ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରୁ ସେ ସଂଗ୍ରହ କରିଥିବା ଉଲ୍ଲେଖ କରିଛନ୍ତି। ଚକ୍ରଧର ମହାପାତ୍ରଙ୍କ “ଉତ୍କଳ ଗାଉଁଲି ଗୀତ”ରେ ମଧ୍ୟ ବେଶ୍ କେତୋଟି ରଜ ଗୀତ ଓ ଦୋଳି ଗୀତ ରହିଛି। କୁଞ୍ଜବିହାରୀ ଦାଶଙ୍କ “ଓଡ଼ିଆ ଲୋକଗୀତ ଓ ଲୋକକାହାଣୀ” ପୁସ୍ତକରେ ମଧ୍ୟ କେତୋଟି ଦୋଳି ଗୀତ ରହିଛି।
ତେବେ ଏଯାବତ୍ ଠାବ ହୋଇଥିବା ବହିଗୁଡ଼ିକ ମଧ୍ୟରେ ସର୍ବ ପୁରାତନ ଦୋଳିଗୀତ ବହି ହେଉଛି ଶ୍ରୀ ଗୋପାଳଚନ୍ଦ୍ର ସାଏଙ୍କ ଲିଖିତ ” ଦୋଳି ଗୀତ (ସୀତା ଓ ଦ୍ରୌପଦୀ ସ୍ବୟମ୍ବର)”। ୧୯୩୦ ମସିହାରେ କଟକ ଅରୁଣୋଦୟ ପ୍ରେସ୍ରେ ଏହାର ଦ୍ବିତୀୟ ସଂସ୍କରଣ ଛପାଯାଇଥିଲା। ୧୬ ପୃଷ୍ଠାର ଏ ବହିରେ “ସୀତା ସ୍ବୟମ୍ବର” ଓ “ଦ୍ରୌପଦୀ ସ୍ବୟମ୍ବର” ନାମରେ ଦୁଇଟି ଦୋଳି ଗୀତ ରହିଛି।

୧୯୪୯ରେ ଶ୍ୟାମସୁନ୍ଦର ଦାସଙ୍କ ମୂଳ ରଜଦୋଳି ଗୀତଟିକୁ ଆଧାର ଭାବରେ ନେଇ ଏହାର କିଛି ଅଂଶ ବଦଳାଇ ରାଧାରମଣ ରାୟ ରେକର୍ଡ ଗୀତଟି ପ୍ରସ୍ତୁତ କରିଛନ୍ତି। ପରେ ନୟାଗଡ଼ର ମାଗୁଣି ମହାପାତ୍ର ଏହାକୁ ବହି କରି ଛାପିଛନ୍ତି। ମାଗୁଣି ସମ୍ଭବତଃ ନିଜର କାବ୍ୟିକ ପାରଦର୍ଶିତା ଦେଖାଇବା ପାଇଁ ରେକର୍ଡର କିଛି ପଦ ବାଦ ଦେଇଥିବା ବେଳେ ଆଉ କିଛି ପଦ ନିଜେ ଫାନ୍ଦି ଯୋଡ଼ିଥାଇପାରନ୍ତି।
ଏ ଲେଖକ ନିଜର ଜେଜେବାପାଙ୍କୁ (ଯେ ନିପଟ ମଫସଲି ଗରିବ ପରିବାରରେ ଜନ୍ମିତ ଓ ଜୀବନରେ କେବେ ଗ୍ରାମଫୋନ ରେକର୍ଡ ଶୁଣିନାହାନ୍ତ) ରଜଗୀତ ବାବଦରେ ପଚାରିବାରୁ ତାଙ୍କର ଉତ୍ତର ଥିଲା, ସେ ପିଲାବେଳୁ ଗାଁରେ ଏମିତି କେତେ ଗୀତ ଶୁଣି ଆସିଛନ୍ତି।
ଏହା ସତ୍ୟ ଯେ ରଜଗୀତ ଆମ ସାଂସ୍କୃତିକ ପରମ୍ପରା ଓ ଲୋକଚଳଣିରେ ଶହଶହ ବର୍ଷ ଧରି ରହିଆସିଛି। ତାକୁ ସଂଗ୍ରହ କରି ଶ୍ୟାମସୁନ୍ଦର ଦାସ ବା ରାଧାରମଣ ରାୟ ନିଜର ସୃଜନ ମିଶାଇ ଆମ ଆଗରେ ଭିନ୍ନ ବାଗରେ ପରସିଛନ୍ତି କେବଳ।
ରାଧାରମଣଙ୍କ ରେକର୍ଡର ଉଦ୍ଧାର ଅଂଶ ଉପରେ ଏକତ୍ର ଥିବା ବେଳେ ମାଗୁଣି ମହାପାତ୍ରଙ୍କ ବହିରେ ଥିବା ଗୀତ ଆପଣ ତଳେ ପଢ଼ିପାରିବେ। ଯଦି ଶ୍ୟାମସୁନ୍ଦରଙ୍କ ଗୀତଟି ଉଦ୍ଧାର ହୁଏ, ତାହେଲେ ଏଇଠି ତାକୁ ପରେ ଯୋଡ଼ାଯିବ।
ରେକର୍ଡ ରଜଦୋଳି ଗୀତ
ଲେଖକ ଓ ପ୍ରକାଶକ- ଶ୍ରୀ ମାଗୁଣୀ ମହାପାତ୍ର, ଗ୍ରା:- ବୋଦାପଡ଼ା, ପୋ:- ନୟାଗଡ଼, ଜି:- ପୁରୀ
ମୂଲ୍ୟ ଛ’ ପଇସା
ବନସ୍ତେ ଡାକିଲା ଗଜ
ବରଷକେ ଆଜି ଲୋ, ଆସିଛି ରଜ,
ଆସିଛି ରଜ ଲୋ, ଘେନି ନୂଆ ସଜବାଜ। ୧
ରାଶିରୁ ଛାଡ଼ିଲା ଚୋପା
ଗୋଡ଼ରେ ନାଇଛୁ ସରୁ ଅଳତା,
ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା। ୨
ଉଡ଼ିଲା ଶୁଆ ନାହାକା
ଦୋଳିଟା କାହିଁକି ଲାଗୁଛି ଏକା,
ଲାଗୁଛି ଏକା ଲୋ, ଝୁଲାଅ ପାହି ଦିନ ଏକାଏକା। ୩
ପାଚିଲା ବଇଁଚି କୋଳି
ବେକରେ ନାଇଛୁ ଗଜରା ମାଳି,
ଗଜରା ମାଳି ଲୋ, ଝୁଲାଅ ରଜରେ ଦୋଳି। ୪
ପଣସ ପାଚିଲା ବନେ
ବନ ପୋଡ଼ିଗଲେ ଗୋ ଦୁନିଆ ଜାଣେ,
ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ। ୫
ଶଙ୍ଖ ମଲମଲ ଗିନା
ଦରଦୀ ବୁଝଲୋ (ବୁଝେ ଲୋ) ଦରଦୀ ସିନା,
ଦରଦୀ ସିନା ଲୋ, ବଣିଆ ଚିନ୍ହେଟି ସୁନା। ୬
ନିମ୍ବର ବୁକେ ଚନ୍ଦନ
ଦେବତା ଗଢ଼ିଲା ନାରୀ ଜୀବନ,
ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ। ୭
ଡେମଣା (ଢମଣା) ଛାଡ଼ିଲା କାତି
ପୁରୁଷ ଶିନା (ସିନା) ଲୋ ଭଅଁର ଜାତି,
ଭଅଁର ଜାତି ଲୋ, ନୂଆରେ ରସନ୍ତି ନିତି। ୮
ଚାନ୍ଦରେ କଳଙ୍କ ଚିହ୍ନ
ନବ ଯଉବନୀ ଲୋ, କିଆଁ ଗୁମାନ
କିଆଁ ଗୁମାନ ଲୋ, ଅଇଲେଣି ଜୀବଧନ। ୯
ପୋଘରୀ ତୁଠ ପଥର
ତତେ ଦେଖିଥିଲି ରେ ବାଲିବନ୍ଧର,
ବାଲିବନ୍ଧର ରେ, ଆଖି ଥିଲା ଏଣେ ତୋର। ୧୦
ସାହାଡ଼ା ଗଛର ଛାଲି
ସେ ଦିନ କଥା କି ତୋ ମନେନାହିଁ
ତୋ ମନେ ନାହିଁ ଲୋ, ଏଡ଼େ ମାନ କାହିଁପାଇଁ। ୧୧
ଖୋସାରେ ଖୋସିଲି ଫୁଲ
କେତେ ତୁ ଦେଖାଉ ନୁଖୁରା ଗେଲ
ନୁଖୁରା ଗେଲ ରେ, ଭାଙ୍ଗିନାହିଁ ଦୁଧଗାଲ। ୧୨
ନଈରେ ଶୁଖିଲା ବାଲି
କେତେ ଫୁଲିହେଉ ଲୋ ପୁଚୁକିଗାଲି
ପୁଚୁକିଗାଲି ଲୋ, ଦେଖାଉ ତୁ କେତେ ବେଲି। ୧୩
ବାଜିଲା ତେଲଙ୍ଗୀ ବାଜା
ରସିକ ଯେ ଜାଣେ ସ୍ନେହର ମଜା,
ସ୍ନେହର ମଜା ରେ, ସେ ସିନା ମୋ ମନରଜା। ୧୪
ଦୂର ପରବତ ଶୋଭା
କାଞ୍ଚନ ଫୁଲରେ ମଣ୍ଡିଛୁ ଗଭା,
ମଣ୍ଡିଛୁ ଗଭା ଲୋ, ସେ ତ ଯୁବା ମନ ଲୋଭା। ୧୫
ପାଣିରେ କାଟିଲି ଗାର
ତୋ ପରି ଦେଖିଛି କେତେ ନାଗର
କେତେ ନାଗର ରେ, ଗୋଡ଼ଧୂଳି ସରିନୁହେଁ ମୋର। ୧୬
ବାସିଲା ମହୁଲ ବଣ
ନାକଟେକି କେତେ କହୁ ତୁ ଟାଣ
କହୁ ତୁ ଟାଣ ଲୋ, ଭାଙ୍ଗିଯିବ ସତୀପଣ। ୧୭
ବୟସ ବାର ତେଏର
କାହୁଁ ଶିଖିଲୁ ତୁ ଏଡ଼େ ନାଗର
ଏଡ଼େ ନାଗର ରେ, ଅଛି ତ ବୟସ ତୋର। ୧୮
ପାରା ଖାଇଗଲା ଧାନ
ତୁମେ କି ବୁଝିବ ଆମର ମନ
ଆମର ମନ ଲୋ, ସହୁ କେତେ ହୀନିମାନ। ୧୯
ଘାସରେ ମାଇ କାକର
କଥାରେ ପାଣିରେ ପକାଉ ସର
ପକାଉ ସର ରେ, କଥାରେ ରହିଛି ଫେର। ୨୦
ସମ୍ବଲପୁରିଆ କୁଲା
ଥିରିଥିରି କରି ଦୋଳିକି ଝୁଲା
ଦୋଳିକି ଝୁଲା ଲୋ, ବାସ ତୋର ଉଡ଼ିଗଲା। ୨୧
ଉସୁନା ଚାଉଳ ଚୁନା
କେତେ ଟାହୁଲୁଛୁରେ କାଳିଆ ସୁନା
କାଳିଆ ସୁନା ରେ, ମୋ ଆଡ଼କୁ ଥରେ ଅନା। ୨୨
ବଣରେ ଫୁଟିଲା ମଲ୍ଲି
ରସରେ ଭରିଛୁ ନବ ଛଇଲି
ନବ ଛଇଲି ଲୋ, ରଖିବୁନି ମୋର ଅଳି। ୨୩
କଇଠ (କଇଥ) ଗଛର ଅଠା
ତୁନିତୁନି କହରେ ନକର ହଟା
ନକର ହଟା ରେ, ସବୁରାତ ଫଳ ଫଳ ମିଠା। ୨୪
ପହିଲି ରଜର ଦୋଳି
ତୋରି ତୁଲେ ସହି ଲୋ ସରୁ କଙ୍କାଳି
ସରୁ କଙ୍କାଳି ଲୋ, ଖେଳିବି ମୁଁ ଆଜି ଦୋଳି। ୨୫
ଫୁଟିଲା ବନେ ମାଳତୀ
ଦଗାଦାର ସିନା ଗୋ ପୁରୁଷ ଜାତି
ପୁରୁଷ ଜାତି ଗୋ, ନିତି ନୂଆ ଖୋଜୁଥାନ୍ତି। ୨୬
ବୁଲିଛି ବନେ ହରିଣୀ
ହସି ଗୀତ ଗାଉଲୋ ନବ ରଙ୍ଗିଣୀ
ନବ ରଙ୍ଗିଣୀ ଲୋ, ପଥର ହୁଅଇ ପାଣି। ୨୮
କରଞ୍ଜ ପତର ନାଲି
ମନଭୁଲା ରୀତିଟି ଜାଣିଚ ଖାଲି
ଜାଣିଛ କାଲି ଗୋ, ମୋ ଚିତ୍ତ କିଣିବ ବୋଲି। ୨୯
କାଠଯୋଡ଼ି ନୂଆପୋଲ
ଭଲ ଲାଗୁନାହିଁ ତୁମରି ଗେଲ
ତୁମରି ଗେଲ ଗୋ, କରନା ଆଉ କଟାଳ। ୩୦
କଳାପାଣିରେ ଜାହାଜ
କାଲିକି ନଥିବ ଆଜି ମଉଜ
ଆଜି ମଉଜ ଲୋ, ଆଜି ଯା ପାହିଲୁ ରଜ। ୩୧
ହାତୀ ଭାଙ୍ଗେ ବରଡାଳ
ଦିନଟାରେ କର ମୋ ସଙ୍ଗେ ଗୋଳ
ମୋ ସଙ୍ଗେ ଗୋଳ, ହସିବେ ସଙ୍ଗିନୀ ଦଳ। ୩୨
ବଣରେ ଫୁଟିଲା ମଲ୍ଲୀ
କାହାଠାରୁ ଶିଖିଛ ଏ ନୂଆ ଚାଲି
ଏ ନୂଆ ଚାଲି ଲୋ, ଖେଳୁଛି ବାଙ୍କି ଶିଆଳି। ୩୩
ନଈରେ ଚାଲେ ବାଳିଆ
ମୁଁ ତ ସୁନାଗୋରୀ ତୁମ୍ଭେ କାଳିଆ
ତୁମେ କାଳିଆ ଗୋ, ନାରୀରୂପ ରଙ୍କଳିଆ। ୩୪
କିଆ ଫୁଟି ଛୁଟେ ବାସ
ତୋ ନାଲି ଓଠରେ ମୁରୁକି ହସ
ମୁରୁକି ହସ ଲୋ, ହସି ମୋତେ କଲୁ ବଶ। ୩୫
ତୋଟାରେ ଡାକେ କୋଇଲି
ଭାବିଛକି ମୋତେ ଗୋ କିଣା ପୋଇଲି
କିଣା ପୋଇଲି ରେ, ଶୁଣିବ ଏଣିକି ଗାଳି। ୩୬
ନଈରେ ଜୁଆର ପାଣି
ଆସ ଆସ ମୋର ଗୋ ରାଇଜ ରାଣୀ
ରାଇଜ ରାଣୀ ଲୋ, ଖେଳିବା ରଜ ଝୁଲଣୀ।। ୩୭
ଯାଉଛି ଉଡ଼ାଜାହାଜ
ମୋତେ ଛାଡ଼ି ତୁମେ ଗୋ କର ମଉଜ
କର ମଉଜ ଲୋ, ମୋତେ ମାଡ଼ୁଅଛି ଲାଜ। ସମାପ୍ତ
ବ୍ରହ୍ମପୁର ରାଧାକୃଷ୍ଣ ପ୍ରେସ୍ରେ, ଶ୍ରୀ ମଙ୍ଗୁଳୁ ସାହୁଙ୍କ ଦ୍ବାରା ମୁଦ୍ରିତ, ୧୯୫୨