ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଗଛରେ ଝୁଲାଇଲେ ଶବ
![](https://www.odishalink.com/wp-content/uploads/2021/06/3-3.jpg)
ଗୌହାଟୀ: ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଗଛରେ ଝୁଲାଇଲେ ଶବ। ଆସାମର କୋକ୍ରାଝର ଜିଲ୍ଲାରୁ ଦୁଇ ନାବାଳିକାଙ୍କ ଝୁଲାନ୍ତ ଅବସ୍ଥାରେ ମିଳିଥିବା ମୃତ୍ୟୁ ରସହ୍ୟର ପର୍ଦ୍ଦାଫାସ କରିଛି ପୁଲିସ୍। ଗତ ଶନିବାର ଉଭୟଙ୍କ ମୃତଦେହ ମିଳିବା ପରେ ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ପରେ ପୁଲିସ୍ କହିଛି ଯେ, ଦୁଇ ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା। ଏହାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ମୃତଦେହକୁ ଝୁଲାଇ ଦିଆଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି।
କୋକ୍ରାଝର ଏସ୍ପି ପ୍ରତୀକ ବିଜୟ କୁମାର କହିଛନ୍ତି, “ଏହି ଘଟଣାରେ ଆମେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳିକା ଦ୍ୱୟଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ଏହାପରେ ସେମାନଙ୍କ ଶବକୁ ଗଛରେ ଝୁଲାଇ ଦେଇଥିଲେ। ଅନ୍ୟମାନଆ ସେମାନଙ୍କୁ ସହଯୋଗ କରିଥିଲେ।
ଗିରଫ ପରେ ସେମାନେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ରବିବାର ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ହୋଇଥିଲା ଓ ୭୨ ଘଣ୍ଟା ମଧ୍ୟରେ ଆମେ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇଛୁ।”
ସୂଚନାଯୋଗ୍ୟ, ଶନିବାର ଜଣେ ୧୪ ଓ ଜଣେ ୧୬ ବର୍ଷୀୟ ଝିଅଙ୍କ ଝୁଲନ୍ତା ମୃତଦେହ କୋକ୍ରାଝରର ଉପାନ୍ତ ଅଞ୍ଚଳରେ ଥିବା ଗୋଟିଏ ଗାଁରୁ ମିଳିଥିଲା। ଘଟଣାକୁ ନେଇ ପ୍ରବଳ ବିବାଦ ହେବାରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୀଡ଼ିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ। ଏଥିସହ ଶୀଘ୍ର ନ୍ୟାୟ ପାଇବେ ବୋଲି ପ୍ରତଶ୍ରୁତି ଦେଇଥିଲେ।