ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳ ଘୋଷିତ, ୨ ଓଡ଼ିଆଙ୍କୁ ମିଳିଲା ଟିକେଟ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ମୋଟ୍ ୧୬ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି ହକି ଇଣ୍ଡିଆ। ଏହି ଟିମ୍ରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିତ ଦାସ ସ୍ଥାନ ପାଇଛନ୍ତି। ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଜଣ ଖେଳାଳି ଡେବ୍ୟୁ କରିବେ। ବାକି ୬ ଖେଳାଳି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଛନ୍ତି।
କ୍ରମାଗତ ତୃତୀୟ ଥର ପାଇଁ ଅଧିନାୟକ ମନପ୍ରୀତ ସିଂହ ଓ ଗୋଲ କିପର ପିଆର ଶ୍ରୀଜେଶ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ସେହିପରି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଥିବା ହରମନପ୍ରୀତ ସିଂହ, ରୁପିନ୍ଦରପାଲ ସିଂହ, ସୁରେନ୍ଦ୍ର କୁମାର ଓ ମଦଦୀପ ସିଂହଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ଅଛନ୍ତି।
ସେହିପରି ୨୦୧୬ରେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ବୀରେନ୍ଦ୍ର ଲାକ୍ରା ଅଲିମ୍ପିକ୍ସ ଖେଳି ପାରି ନଥିଲେ। ହେଲେ ଏଥର ଡିଫେଣ୍ଡର ଭୂମିକାରେ ସେ ଦଳକୁ କମବ୍ୟାକ କରିଛନ୍ତି। ଏମାନଙ୍କ ବ୍ୟତୀତ ଅମିତ ରୋହିଦାସ, ହାର୍ଦ୍ଦିକ ସିଂହ, ବିବେକ ସାଗର, ନୀଲକଣ୍ଠ ଶର୍ମା, ସୁମିତ, ଶଶମେର ସିଂହ, ଦୀଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ଲଳିତ କୁମାର ଉପାଧ୍ୟାୟ ରହିଛନ୍ତି। ଏମାନେ ସମସ୍ତେ ନିଜ ନିଜର ପ୍ରଥମ ଅଲିମ୍ପିକ୍ସ ଖେଳିବେ।
Experience in the team + 🔟 Olympic debutants
The Men in Blue for #Tokyo2020 are revealed.
Read more 👉 https://t.co/TqfdxlNXGy#IndiaKaGame #HaiTayyar #StrongerTogether #HockeyInvites #WeAreTeamIndia #Hockey pic.twitter.com/U20Q2NOC2z
— Hockey India (@TheHockeyIndia) June 18, 2021
ସୂଚନାଥାଉକି, ଚଳିତ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଗ୍ରୁପ୍ ଏ’ରେ ରହିଛି। ଏହି ଗ୍ରୁପ୍ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସ୍ପେନ ଓ ଆୟୋଜନ ଜାପାନ ରହିଛି। ଆସନ୍ତା ମାସ ୨୩ ତାରିଖରୁ ଅଗଷ୍ଟ ୫ ତାରିଖ ଟୋକିଓରେ ଅଲିମ୍ପିକ୍ସ ଖେଳାଯିବ।
ଭାରତୀୟ ପୁରୁଷ ହକି ଦଳ ଘୋଷଣା ହେବା ପରେ ଅଲିମ୍ପିକ୍ସ ରେ ଭଲ ପ୍ରଦଶର୍ନ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଖାସକରି ଦଳରେ ଦୁଇ ଓଡ଼ିଆ ପୁଅଙ୍କୁ ସ୍ଥାନ ମିଳିଥିବାରୁ ଓଡ଼ିଶାରେ ମଧ୍ୟ ଖୁସିର ଲହର ଖେଳିଯାଇଛି । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ଭାରତୀୟ ମହିଳା ହକି ଟିମରେ ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି ।