କୋଭିଡ୍ ଅନାଥ ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ‘ଆଶୀର୍ବାଦ’

- ଉଭୟ ପିତା-ମାତା ଅଥବା ଏକକ-ଜନନୀ ବା ଏକକ ପିତାଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ୨,୫୦୦ ଟଙ୍କା
- କେବଳ ମୁଖ୍ୟ ଉପାର୍ଜନକାରୀ ବାପା ବା ମା’ ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ୧,୫୦୦ ଟଙ୍କା
- ଜଣେ ବି ଅସହାୟ ଶିଶୁ ଯେପରି ବାଦ୍ ନପଡ଼ନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ରାଜ୍ୟର କୋଭିଡ୍ ଅନାଥଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଜନମଙ୍ଗଳ ଯୋଜନା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୦ ଏପ୍ରିଲ ୧ ତାରିଖ ବା ତା’ ପରେ ଉଭୟ ବାପା-ମା’ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରା ଥିବା ପିଲାମାନଙ୍କ ଶିଷାଦୀକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଯୋଜନା। ‘ଆଶୀର୍ବାଦ’ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ବାପା-ମା ଉଭୟଙ୍କୁ ହରାଇ ଥିବା ପିଲା; ଏକକ ପିତା ବା ମାତା(single parent)ଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନ କାରୀ ବାପା ବା ମା ଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା।
ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଶୀର୍ବାଦ ଯୋଜନାରେ ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ବଜନଙ୍କ ଗହଣରେ ହିଁ ରହିବେ ଏବଂ ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକ ମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
‘ଆଶୀର୍ବାଦ’ ଯୋଜନା ଅନୁଯାୟୀ ବାପା-ମା’ ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ, ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ମାସିକ ୨,୫୦୦ ଟଙ୍କା ଜମା କରାଯିବ। ପିଲାକୂ 18ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ। ତା’ ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆଯିବ ନାହିଁ।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ। ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯିବ।
ବାପା-ମା’ଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ। ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥାନ୍ତି, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ।ଯଦି ଆବଶ୍ୟକ ପଡ଼େ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସରକାର ସାହାଯ୍ୟ କରିବେ। ପିଲାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ଚାହିବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢ଼ାଇବା ପାଇଁ ଶିଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ।
ଉଚ୍ଚ ଶିଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ Green passage ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ। ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କାଘର ପାଇଁ ଯୋଗ୍ୟ ହୋଇଥା’ନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ଆଗୁଆ ଘର ମଞୁର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେଅଗ୍ରାଧିକାର ଭିତ୍ତିରେ ତାଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ। ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୋଲିସ ସହ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନେବେ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲ ମନ୍ଦ ଉପରେ ନଜର ରଖବେ। ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ବାଳ ନ୍ୟାୟ ନିଧିରୁ (,juvenile justice fund) ଆବଶ୍ୟକ ସ୍ଥଳେ ଏ ପିଲା ମାନଙ୍କୁ ସହାୟତା ମିଳିପାରିବ।
ଉପରୋକ୍ତ ଦୁଇ ବର୍ଗର ପିଲା ଯଦି ଆତ୍ମୀୟ ଙ୍କ ପାଖରେ ନ ରହି କୋୖଣସି ଶିଶୁ ଯତ୍ନ ଗୃହରେ ରୁହନ୍ତି ତେବେ ସେ ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକହଜାର ଟଙ୍କା recurring deposit ଭାବରେ ପ୍ରତି ମାସରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ। ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ। ପିଲାର ଶିଷା ସ୍ଵାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ଉପର ବର୍ଣ୍ଣିତ ଵ୍ୟଵସ୍ଥା ଅନୁଯାୟୀ କରିଯିବ।
ଯେଉଁ କ୍ଷେତ୍ରରେ ପିଲାର ରୋଜଗାର କରୁଥିବା ବାପା ବା ମାଆଙ୍କ ମୃତ୍ୟୁ ଘଟିଥିବ ଏବଂ ସେ ବଞ୍ଚି ରହିଥିବା ବାପା ବା ମା ପାଖରେ ରହୁଥିବ ସେ କ୍ଷେତ୍ରରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ତା’ର ଭରଣପୋଷଣ ପାଇଁ ବଞ୍ଚିଥିବା ମା’ ବା ବାପା କିମ୍ବା ପିଲାର ବ୍ୟାଙ୍କ ଖାତାରେ ମାସିକ ୧,୫୦୦ ଟଙ୍କା ଜମା କରାଯିବ। ପିଲା କୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି ସେ କ୍ଷେତ୍ରରେ ଆଉ ସହାୟତା ମିଳିବ ନାହିଁ।
ପିଲାର ମା’ ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞୁର କରାଯିବ। ଏହା ସହିତ ଉଭୟଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ। ଏହା ବ୍ୟତୀତ ମାଗଣା ଶିକ୍ଷା ସ୍ଵାସ୍ଥ୍ୟ ଵୀମା ଆଦି ଉପର ବର୍ଣ୍ଣିତ ସମସ୍ତ ସୁବିଧା ପିଲାକୁ ମିଳିବ। ଜିଲ୍ଲା ଶିଶୁ ସୁରକ୍ଷା ଅନୁଷ୍ଠାନ, ଚାଇଲ୍ଡ ଲାଇନ୍ ତଥା ପଞ୍ଚାୟତ ସ୍ତରୀୟ କମିଟି ବ୍ଲକ କମିଟି frontline worker civil society ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ।
ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ(DCPU)ଙ୍କୁ ଆବେଦନ କରିପାରିବେ। ଅସମୟରେ ବାପା-ମା’ ଙ୍କୁ ହରାଇଥିବା ଜଣେ ବି ଅସହାୟ ଶିଶୁ ଯେପରି ଏ ଯୋଜନାରୁ ବାଦ୍ ନପଡ଼େ ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ ସ୍ବତନ୍ତ୍ର ଅଭିଯାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।