ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଅଲିମ୍ପିକ୍ସରେ ହକି ଟିମ୍ର ଉପ ଅଧିନାୟକ
![](https://www.odishalink.com/wp-content/uploads/2021/06/jpg-750x430.jpg)
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଭାରତୀୟ ହକି ଦଳ। ଏସବୁ ମଧ୍ୟରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ଓ ଉପ-ଅଧିନାୟକଙ୍କ ନାମ ଘୋଷଣା କରିଛି ହକି ଇଣ୍ଡିଆ। ପୁରୁଷ ଦଳର ଅଧିନାୟକ ମନପ୍ରୀତ୍ ସିଂହଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି ହକି ଇଣ୍ଡିଆ ।ଅନ୍ୟପଟେ ପୁଣିଥରେ ଜାତୀୟ ପୁରୁଷ ହକି ଟିମ୍ରେ ଓଡ଼ିଆଙ୍କ ଦବଦବା ଦେଖିବାକୁ ମିଳିଛି। ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମ୍ର ଉପ ଅଧିନାୟକ ହୋଇଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଲାକ୍ରା ଓ ହରମନପ୍ରୀତି ସିଂହ ଟୁର୍ଣ୍ଣାମେଣ୍ଟରେ ଉପ ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ତକାଲି ଭାରତୀୟ ମହିଳା ହକି ଟିମ୍ର ଉପ ଅଧିନାୟକ ଭାବେ ଓଡ଼ିଆ ଝିଅ ଦୀପଗ୍ରେସ ଏକାଙ୍କୁ ନିଯୁକ୍ତି ମିଳିଥିଲା। ରାଣୀ ରାମପଲ ପୂର୍ବଭଳି ମହିଳା ଦଳର ଅଧିନାୟିକତ୍ୱ ଅଲିମ୍ପିକ୍ସରେ କରିବେ।
ନିକଟରେ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଥିଲା। ମୋଟ୍ ୧୬ ଜଣ ଖେଳାଳିଙ୍କ ନାମ ଘୋଷଣା କରିଥିଲା ହକି ଇଣ୍ଡିଆ। ଏହି ଟିମ୍ରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିତ ଦାସ ସ୍ଥାନ ପାଇଛନ୍ତି। ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଜଣ ଖେଳାଳି ଡେବ୍ୟୁ କରିବେ। ବାକି ୬ ଖେଳାଳି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଛନ୍ତି।
କ୍ରମାଗତ ତୃତୀୟ ଥର ପାଇଁ ଅଧିନାୟକ ମନପ୍ରୀତ ସିଂହ ଓ ଗୋଲ କିପର ପିଆର ଶ୍ରୀଜେଶ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ସେହିପରି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଥିବା ହରମନପ୍ରୀତ ସିଂହ, ରୁପିନ୍ଦରପାଲ ସିଂହ, ସୁରେନ୍ଦ୍ର କୁମାର ଓ ମଦଦୀପ ସିଂହଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ଅଛନ୍ତି।
ସେହିପରି ୨୦୧୬ରେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ବୀରେନ୍ଦ୍ର ଲାକ୍ରା ଅଲିମ୍ପିକ୍ସ ଖେଳି ପାରି ନଥିଲେ। ହେଲେ ଏଥର ଡିଫେଣ୍ଡର ଭୂମିକାରେ ସେ ଦଳକୁ କମବ୍ୟାକ କରିଛନ୍ତି। ଏମାନଙ୍କ ବ୍ୟତୀତ ଅମିତ ରୋହିଦାସ, ହାର୍ଦ୍ଦିକ ସିଂହ, ବିବେକ ସାଗର, ନୀଲକଣ୍ଠ ଶର୍ମା, ସୁମିତ, ଶଶମେର ସିଂହ, ଦୀଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ଲଳିତ କୁମାର ଉପାଧ୍ୟାୟ ରହିଛନ୍ତି। ଏମାନେ ସମସ୍ତେ ନିଜ ନିଜର ପ୍ରଥମ ଅଲିମ୍ପିକ୍ସ ଖେଳିବେ।