ସାମ୍ନାକୁ ଆସିଲା ଟିମ୍ ସଚିନ୍ ପାଇଲଟ, ସହରରେ ଲଗାଇଲା ପୋଷ୍ଟର
ପ୍ରଥମ ଥର ପାଇଁ ରାଜସ୍ଥାନ ରାଜନୀତିରେ ଟିମ୍ ସଚିନ ପାଇଲଟ୍ ସାମ୍ନାକୁ ଆସିଛି।
ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ କଂଗ୍ରେସରେ ଚାଲିଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ଘନେଇବାରେ ଲାଗିଛି।କଂଗ୍ରେସରେ ଲାଗି ରହିଥିବା କନ୍ଦଳ ମଧ୍ୟରେ ସଚିନ ପାଇଲଟଙ୍କ ସମର୍ଥକ ମାନେ ପାଇଲଟଙ୍କ ବଡ଼ ବଡ଼ ହୋର୍ଡିଂ ଲଗାଇଛନ୍ତି। ଯାହାକୁ ନେଇ ରାଜସ୍ଥାନ କଂଗ୍ରେସ ରାଜନୀତି ରୋଚକ ମୋଡ଼ରେ ପହଁଞ୍ଚିଛି।
ପ୍ରଥମ ଥର ପାଇଁ ଟିମ୍ ସଚିନ ପାଇଲଟଙ୍କ ପକ୍ଷରୁ ବଡ଼ ବଡ଼ ହୋର୍ଡିଂ ଗାନ୍ଧୀନଗରରେ ଚାକସୁ ବିଧାୟକ ବେଦପ୍ରକାଶ ସୋଲଙ୍କୀଙ୍କ ବାସଭବନରେ ଦେଖିବାକୁ ମିଳିଛି। ହୋର୍ଡିଂରେ ମଧ୍ୟ ଏକ ସ୍ଲୋଗାନ୍ ଲେଖା ହୋଇଛି ଯେ, ‘ରାଜସ୍ଥାନ ଦେଖିଛି, ଆମେ ସମସ୍ତେ ଦେଖିଛେ’। କେବଳ ସେତିକି ନୁହେଁ ପାଇଲଟ ରାଜ୍ୟ ପିସିସି ମୁଖ୍ୟ ଥିବା ସମୟରେ ଯେଉଁ ସଂଘର୍ଷ କରିଥିଲେ ତାହାର କିଛି ଫଟୋର ଝଲକ ହୋର୍ଡିଂରେ ଦେଖିବାକୁ ମିଳିଛି। ହୋର୍ଡିଂର ତଳକୁ ଟିମ୍ ସଚିନ ପାଇଲଟ୍ ଲେଖାଯାଇଛି।
ବିଜେପିରେ ଟିମ୍ ବସୁନ୍ଧରା ନାମରେ ବସୁନ୍ଧରାଙ୍କ ସମର୍ଥକ କାମ କରିଥାନ୍ତି। ହେଲେ ପ୍ରଥମ ଥର ପାଇଁ ରାଜସ୍ଥାନ ରାଜନୀତିରେ ଟିମ୍ ସଚିନ ପାଇଲଟ୍ ସାମ୍ନାକୁ ଆସିଛି। ପାଇଲଟଙ୍କ ପୋଷ୍ଟରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ଥିବାର ଦେଖିବାକୁ ମିଳିଛି। ଗତବର୍ଷ ଜୁଲାଇରେ ରାଜସ୍ଥାନ କଂଗ୍ରେସରେ ହୋଇଥିବା କ୍ଷମତା ଯୁଦ୍ଧ ପରେ ପ୍ରଥମ ଥର ପାଇଁ ସଚିନ ପାଇଲଟଙ୍କର ଏଭଳି ପୋଷ୍ଟର ଜୟପୁରରେ ଦେଖିବାକୁ ମିଳିଛି। ଯାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି।