ସର୍ବଦଳୀୟ ବୈଠକରେ ଏହି ଦାବି ରଖିଲେ କଶ୍ମୀର ନେତା
ଏଥିସହିତ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାନେଇ ସରକାର ଆଗ୍ରହୀ ଥିବା ଗୃହମନ୍ତ୍ରୀ ଅମିତ ଶାହ ବୈଠକରେ କହିଛନ୍ତି ବୋଲି ଗୁଲାମ ନବୀ ଆଜାଦ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ସରିଲା ସାଢ଼େ ୩ ଘଣ୍ଟାର ମହାବୈଠକ। ଜମ୍ମୁ-କଶ୍ମୀର ନେତାଙ୍କ ସହିତ ପିଏମ୍ ମୋଦୀଙ୍କ ମଧ୍ୟରେ ହୋଇଥିବା ମହାବୈଠକ ଶେଷ ହୋଇଛି। ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୂରତା । ଆଜି ୭ ଲୋକ କଲ୍ୟାଣ ମାର୍ଗରେ ବସିଥିବା ବୈଠକରେ କାଶ୍ମୀର ପ୍ରସଙ୍ଗକୁ ନେଇ ହୋଇଛି ବଡ଼ ବୈଠକ। ଜମ୍ମୁ କାଶ୍ମୀରର ସମସ୍ତ ନେତାଙ୍କ ମତାମତ ନେଇ କାଶ୍ମୀର ବିକାଶର ନୂଆ ନକ୍ସା କାଢିଛନ୍ତି କେନ୍ଦ୍ର ସରକାର। ସନ୍ଧ୍ୟା ସାତ ଘଟିକାରେ ବୈଠକ ଶେଷ ହୋଇଥିବାବେଳେ ନିଜର ମତ ପ୍ରକାଶ କରିଛନ୍ତି ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା।
ବୈଠକ ଅନ୍ତେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ସର୍ବଦଳୀୟ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ପାଖରେ କଶ୍ମୀର ନେତୃବୃନ୍ଦ ୫ଟି ଦାବି ରଖିଛନ୍ତି। କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଗଣତନ୍ତ୍ର ରକ୍ଷା ପାଇଁ ତୁରନ୍ତ ବିଧାନସଭା ନିର୍ବାଚନ, ଜମ୍ମୁ କଶ୍ମୀରରେ କଶ୍ମୀର ପଣ୍ଡିତମାନଙ୍କୁ ଥଇଥାନ, ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତି ପାଇଁ ବୈଠକରେ ଦାବି ହୋଇଥିବା ବେଳେ ମୂଳନିବାସୀ ଆଇନ ସୁଧାର ନେଇ ମଧ୍ୟ କଶ୍ମୀର ନେତା ଦାବି କରିଥିଲେ।
ଏଥିସହିତ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାନେଇ ସରକାର ଆଗ୍ରହୀ ଥିବା ଗୃହମନ୍ତ୍ରୀ ଅମିତ ଶାହ ବୈଠକରେ କହିଛନ୍ତି ବୋଲି ଗୁଲାମ ନବୀ ଆଜାଦ ସୂଚନା ଦେଇଛନ୍ତି।
Today’s meeting with political leaders from Jammu and Kashmir is an important step in the ongoing efforts towards a developed and progressive J&K, where all-round growth is furthered. pic.twitter.com/SjwvSv3HIp
— Narendra Modi (@narendramodi) June 24, 2021
ଅନ୍ୟପଟେ ବୈଠକରେ ପିଏମ୍ ମୋଦୀ କଶ୍ମୀରବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ହୃଦୟର ଦୂରତା କମିବ, ଦିଲ୍ଲୀକୁ ଦୂରତା ବି କମିବ। ସେ କଶ୍ମୀରବାସୀଙ୍କ ହୃଦୟର କଥା ବୁଝିବା ସହ କେନ୍ଦ୍ର ସରକାର ସବୁବେଳେ କଶ୍ମୀରବାସୀଙ୍କ ପାଖେପାଖେ ଅଛନ୍ତି ବୋଲି ସେ କହିଛନ୍ତି।
ବୈଠକକୁ ଆସିଥିବା ନେତାଙ୍କ ସହିତ ମୋଦୀଙ୍କ ଯେଉଁ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ସେଥିରେ ସମସ୍ତେ ଖୁସି ଥିବାର ଦେଖିବାକୁ ମିଳିଛି। କଶ୍ମୀର ନେତା ମାନେ ମୋଦୀଙ୍କ ସହ କଥାବାର୍ତ୍ତା ହୋଇ ଖୁସି ଥିବାର ଫଟୋରୁ ଅନୁମାନ କରାଯାଉଛି। ବର୍ତ୍ତମାନ ଏହି ଫଟୋକୁ ନେଇ ରାଜନୈତିକ ବିଶେଷଜ୍ଞ ମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି।