ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବୋର୍ଡ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯାଇଛି ମାଟ୍ରିକ ରେଜଲ୍ଟ। ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କଲେ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷର ପାଶ ହାର ୯୭.୮୯ ପ୍ରତିଶତ ରହିଛି।
ଏଥିସହିତ ସନ୍ଧ୍ୟା ୬ଟାରେ ବୋର୍ଡ ଓ୍ବେବସାଇଟ୍ http://www.bseodisha.ac.in/ ଓ http://www.bseodisha.nic.in/ ରେ ରେଜଲ୍ଟ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଜାଣିପାରିବେ ସେମାନଙ୍କ ଫଳାଫଳ।
ମନ୍ତ୍ରୀ ସମୀର ଦାଶ କହିଛନ୍ତି, ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି।ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ A1 ଗ୍ରେଡ୍ ପାଇଥିବା ବେଳେ ୨୨, ୧୩୧ ଜଣ A2, ୫୨, ୧୯୯ ଜଣ B1 ଓ ୯୪, ୪୭୫ ଜଣ B2 ଗ୍ରେଡ୍ ପାଇଛନ୍ତି।
ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ।ଚଳିତ ବର୍ଷ ଏକ୍ସରେଗୁଲାରରେ ୫୩, ୨୭୯ ଜଣ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୭, ୦୬୦ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି।
ଦଶମ ଶ୍ରେଣୀ ବୋର୍ଡ଼ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇଛି। ଚଳିତ ବର୍ଷ ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ। ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇଛି। ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା।