ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା
ଭୁବନେଶ୍ବର: ରାଜ୍ୟରେ ଆହୁରି ଦୁଇଦିନ ଧରି ଲାଗି ରହିବ ମେଘୁଆ ପାଗ। ଏଥିସହ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବିକ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏଥିରୁ ଭଦ୍ରକ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତ୍ତର ପଞ୍ଜାବରୁ ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ନିମ୍ନ ଚାପରେଖା ଲମ୍ବିଛି। ଝାଡ଼ଖଣ୍ଡ ଓ ଏହାର ଆଖାପାଖ ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ଅଛି, ଯାହାକି ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି କରି ରହିଛି।
ଏହି ଘୂର୍ଣ୍ଣିବଳୟଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଗୋଟିଏ ନିମ୍ନ ଚାପରେଖା ସମୁଦ୍ର ପତ୍ତନଠାରୁ ଦେଢ଼ କିମି ଉଚ୍ଚତା ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି।