ଜର୍ଜ ଫ୍ଲଇଡ୍ଙ୍କୁ ହତ୍ୟା ମାମଲାରେ ପୁଲିସ କର୍ମଚାରୀଙ୍କୁ ୨୨.୫ ବର୍ଷ ଜେଲଦଣ୍ଡ

ମିନିଆପଲିସ୍: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲଇଡ୍ଙ୍କ ହତ୍ୟା ଘଟଣାରେ ମିନିଆପଲିସ୍ର ପୂର୍ବତନ ପୁଲିସ ଅଧିକାରୀ ଡେରେକ ଚାଉଭିନଙ୍କୁ ୨୨ ବର୍ଷ ୫ ମାସର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚାଉଭିନ, ଫ୍ଲୟଡଙ୍କ ବେକକୁ ଆଣ୍ଠୁରେ ଚିପି ଦେଇଥିଲେ, ଯେଉଁଥି ପାଇଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଆମେରିକାରେ ଜାତିଗତ ଭେଦଭାବ ବିରୋଧରେ ବଡ଼ ଆନ୍ଦୋଳନ ଦେଖା ଦେଇଥିଲା।
ଦଣ୍ଡାଦେଶ ପୂର୍ବରୁ ୪୫ ବର୍ଷିୟ ସୋଭିନ୍ ଅତି ସଂକ୍ଷପରେ କିଛି କହିବା ସହ ଫ୍ଲଇଡ୍ଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ମିନିସୋତା ଆଇନ ଅନୁସାରେ, ସୋଭିନ୍ ଦଣ୍ଡାଦେଶର ଦୁଇ ତୃତୀୟାଂଶ କିଂବା ୧୫ ବର୍ଷ ଭୋଗ କରିବେ। ବାକି ସାଢ଼େ ୭ ବର୍ଷ ସେ ପାରୋଲ୍ରେ ଯାଇ ପାରିବେ। ଜଣେ ଅଶ୍ୱେତ ବ୍ୟକ୍ତିଙ୍କ ହତ୍ୟା ପାଇଁ ପୋଲିସ ଅଧିକାରୀଙ୍କୁ ଦିଆଯାଇଥିବା ଏହା ହେଉଛି ଦୀର୍ଘତମ ଜେଲ ଦଣ୍ଡ।
ତେବେ ଫ୍ଲୟଡଙ୍କ ପରିବାର ଏବେ ବି ନିରାଶ ହୋଇଛନ୍ତି। କାରଣ ଏହି ଅପରାଧ ପାଇଁ ଉଭିନଙ୍କୁ ୩୦ ବର୍ଷ ଜେଲ ଦଣ୍ଡର ଦାବି କରିଥିଲେ ପରିବାର ସଦସ୍ୟ। ଏ ଧରଣର ଅପରାଧ ପାଇଁ ମିନିସୋଟା ଦଣ୍ଡବିଧି ମାର୍ଗଦର୍ଶିକା ଅନୁସାରେ ୧୦ ବର୍ଷ ୮ ମାସ ରୁ ୧୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ହୋଇଥାଏ। କିନ୍ତୁ, ଫ୍ଲଇଡ୍ଙ୍କ ମୃତ୍ୟୁ ଯୋଗୁଁ ପୁଲିସର ପାଶବିକତା ବିପକ୍ଷରେ ଦେଶବ୍ୟାପୀ ବ୍ୟାପକ ପ୍ରତିବାଦ ହୋଇଥିଲା।
ଫ୍ଲୟଡଙ୍କ ପରିବାରର ଓକିଲ ବେନ କ୍ରମ୍ପ କହିଛନ୍ତି ଯେ, ପରିବାର ଆଶା ଅଛି ଯେ, ଚାଉଭିନଙ୍କୁ ଆଗାମୀ ସଂଘୀୟ ନାଗରିକ ଅଧିକାରର ଶୁଣାଣି ସମୟରେ ସର୍ବାଧିକ ଦଣ୍ଡ ଦିଆଯିବ। ସେ କହିଛନ୍ତି ଯେ, ଏହା ମିନିସୋଟାରେ ଜଣେ ପୋଲିସ ଅଧିକାରୀଙ୍କୁ ମିଳିଥିବା ଦୀର୍ଘତମ ଦଣ୍ଡ ଅଟେ। କିନ୍ତୁ ପ୍ରକୃତ ନ୍ୟାୟ ସେତେବେଳେ ହେବ ଯେତେବେଳେ ଆମେରିକାର ଅଶ୍ୱେତ ବା କଳା ପୁରୁଷ ଏବଂ ମହିଳାମାନେ ରଙ୍ଗ କାରଣରୁ ପୋଲିସ ଦ୍ୱାରା ହତ୍ୟା ହେବାର ଭୟ କରିବେ ନାହିଁ।
ବିଚାରପତି ପିଟର୍ କେଚିଲ୍ କହିଲେ, ଏହି ଦଣ୍ଡାଦେଶ ଆବେଗ କିମ୍ବା ଜନମତଭିତ୍ତିକ ନୁହେଁ। ସମସ୍ତ ପରିବାର, ବିଶେଷକରି ଫ୍ଲଇଡ୍ଙ୍କ ପରିବାର ଭୋଗିଥିବା ଭୀଷଣ ଓ ମର୍ମଭେଦୀ ଆଘାତ ପ୍ରତି ସମବେଦନା ଜଣାଇ ଏଭଳି ରାୟ ଦିଆଯାଇଛି।