ଅନ୍ତର୍ଦେଶୀୟ ବିମାନ ପାଇଁ ଭୁବନେଶ୍ବରରେ ୩ୟ ଟର୍ମିନାଲ
ଭୁବନେଶ୍ବର: ଡୋମେଷ୍ଟିକ୍ ବିମାନ ପାଇଁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ବତନ୍ତ୍ର ଟର୍ମିନାଲ ନିର୍ମାଣ ଚାଲିଛି। ଟି-୩ ନାମରେ ପରିଚିତ ଏହି ତୃତୀୟ ଟର୍ମିନାଲ ୨୦୨୨ରେ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଏଥିପାଇଁ ୯୧୩ କୋଟି ଟଙ୍କା ବ୍ୟୟ ହେଉଛି। ଏହି ଟର୍ମିନାଲ ନିର୍ମାଣ ପରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଦୁଇଟି ଟର୍ମିନାଲ (ଟି-୧ ଓ ଟି-୨) କେବଳ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ବ୍ୟବହାର କରାଯିବ।
ଜୁଲାଇ ୨୦୧୯ରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ନୂଆ ଟର୍ମିନାଲ ୬୪,୬୫୦ ବର୍ଗମିଟର ବା ପ୍ରାୟ ୭ ଲକ୍ଷ ବର୍ଗଫୁଟ ଭୂମି ଉପରେ ଠିଆହେବ। ବର୍ତ୍ତମାନ ଥିବା ଦୁଇ ଟର୍ମିନାଲର ମିଳିତ କ୍ଷମତା ଠାରୁ ଏହାର କ୍ଷମତା ଅଧିକ ରହିବ। ଏବେ ବିମାନବନ୍ଦରର ବାର୍ଷିକ କ୍ଷମତା ୩୫ ଲକ୍ଷ ଯାତ୍ରୀ ଥିବାବେଳେ କେବଳ ନୂଆ ଟର୍ମିନାଲରେ ୮୦ ଲକ୍ଷ ଯାତ୍ରୀ କ୍ଷମତା ରହିଛି। ଏହା କାର୍ଯ୍ୟକ୍ଷମ ହେବା ପରେ ଭୁବନେଶ୍ବର ବିମାନବନ୍ଦରର ବାର୍ଷିକ ଯାତ୍ରୀ କ୍ଷମତା ୧ କୋଟି ୧୫ ଲକ୍ଷକୁ ବୃଦ୍ଧି ପାଇବ। ତୃତୀୟ ଟର୍ମିନାଲ ନିର୍ମାଣ ପାଇଁ ୩ ବର୍ଷ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୨୦୨୨ରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଅନୁମାନ କରାଯାଉଛି।
୧୯୬୦ରେ ନିର୍ମିତ ପୁରୁଣା ଟର୍ମିନାଲ (ଟି-୨) ଟର୍ମିନାଲ-୨କୁ ବର୍ତ୍ତମାନ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ବ୍ୟବହାର କରାଯାଉଥିବା ବେଳେ ଏହା ମାତ୍ର ୬,୨୬୪ ବର୍ଗମିଟର ଉପରେ ଠିଆ ହୋଇଛି। ଏଠାରେ ୬ଟି ଚେକ୍-ଇନ୍ କାଉଣ୍ଟର, ୧୦ଟି ଇମ୍ମିଗ୍ରେସନ୍ କାଉଣ୍ଟର, ୪ଟି କଷ୍ଟମ କାଉଣ୍ଟର ରହିଛି। ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ଏବେ ଏକ ସଂଯୋଗଗୃହ ନିର୍ମାଣ ଚାଲିଛି। ଏଥିରେ ୮୭.୨ କୋଟି ଟଙ୍କା ଖର୍ଚ୍ଚ ହେବ।
୨୦୧୩ ମସିହାରେ ଉଦ୍ଘାଟିତ ଦ୍ବିତୀୟ ଟର୍ମିନାଲ (ଟର୍ମିନାଲ-୧) ପାଇଁ ୧୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଦୁଇମହଲା ବିଶିଷ୍ଟ ଏହି ଟର୍ମିନାଲ ୧୮,୨୪୦ ବର୍ଗମିଟର ଉପରେ ଠିଆହୋଇଛି। ଏଠାରେ ୪ଟି ଏରୋବ୍ରିଜ୍ (ବିମାନରୁ ଯାତ୍ରୀ ଅବତରଣ ପାଇଁ ବ୍ୟବହୃତ ହାଇହ୍ରଲିକ୍ ବ୍ରିଜ୍), ୪ଟି ଏଲେଭେଟର, ୧୮ଟି ଚେକ୍-ଇନ୍ କାଉଣ୍ଟର, ୩ଟି ଆରାଇଭାଲ୍ ଲଗେଜ୍ କନଭୟର, ଗୋଟିଏ ସ୍ପା, ଗୋଟିଏ ଭିଆଇପି ଲାଉଞ୍ଜ୍ ଓ ଅନ୍ୟାନ୍ୟ ବହୁ ସୁବିଧା ରହିଛି।
ଭୁବନେଶ୍ବରରେ ୧୭ ଅଗଷ୍ଟ ୧୯୬୨ରେ ବିମାନବନ୍ଦର ଉଦ୍ଘାଟିତ ହୋଇଥିଲା। ଏହା ଏବେ ଭାରତର ୧୩ତମ ବ୍ୟସ୍ତବହୁଳ ବିମାନବନ୍ଦର। ଏଠାରେ ଏକ କୋଷ୍ଟଗାର୍ଡ ଏୟାର ଏନ୍କ୍ଳେଭ୍ ରହିଛି। ଏଠାରୁ ସିଙ୍ଗାପୋର-ଚାଙ୍ଗି, ବ୍ୟାଙ୍କକ୍, କ୍ବାଲାଲମ୍ପୁର ଓ ଦୁବାଇକୁ ୪ଟି ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି। ଭାରତ ଭିତରେ ଏଠାରୁ ଦିଲ୍ଲୀ, କୋଲକାତା, ମୁମ୍ବାଇ,ଚେନ୍ନାଇ, ବାଙ୍ଗାଲୋର, ପୁନେ, ସୁରତ, ବାରଣାସୀ, ଝାରସୁଗୁଡ଼ା, ଅହମ୍ମ୍ଦାବାଦ, ଆଲ୍ହାବାଦ, ହାଇଦ୍ରାବାଦ, ପଟନା ଓ ବାରଣାସୀକୁ ବିମାନ ଉଡ଼ାଣ କରୁଛି।