ଜାମ୍ମୁ ଆକାଶରେ ପୁଣି ଉଡ଼ିଲା ଡ୍ରୋନ୍, ଆଲର୍ଟରେ ସେନା
![](https://www.odishalink.com/wp-content/uploads/2021/06/drone.jpg)
ଶ୍ରୀନଗର: ଜାମ୍ମୁ ଆକାଶରେ ପୁଣି ଉଡ଼ିଲା ଡ୍ରୋନ୍। ଏକାଥରକେ ତିନି ତିନୋଟି ଡ୍ରୋନ୍ ଜାମ୍ମୁ-କାଶ୍ମୀରର ଆକାଶରେ ଚକ୍କର କାଟିଛି। ବୁଧବାର ସକାଳେ ଜାମ୍ମୁର କାଳୁଚକ, ମିରାନ ସାହବ ଓ କୁଞ୍ଜବନିରେ ୩ଟି ଡ୍ରୋନ୍ ଉଡ଼ିଥିବା ଦେଖାଯାଇଛି। ବାୟୁସେନାର ଏୟାରବେସରେ ବିସ୍ଫୋରଣ ପରେ ସେନା ଶିବିର ଉପରେ ଡ୍ରୋନ୍ ଉଡ଼ିବା ପୁଣି ଚିନ୍ତା ବଢ଼ାଇଛି। ଯାହାକୁ ନେଇ ସୁରକ୍ଷାକର୍ମୀ ସତର୍କ ରହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପାହାନ୍ତା ପ୍ରାୟ ୪.୪୦ ମିନିଟ୍ରେ କାଲୁଚକରେ ଗୋଟାଏ ଅଜ୍ଞାତ ଡ୍ରୋନ୍ ଉଡୁଥିଲା। ପାହାନ୍ତ ୪.୫୨ ମିନିଟ୍ରେ ଜମ୍ମୁର କୁଞ୍ଜୱାନି ଅଞ୍ଚଳରେ ଥିବା ବାୟୁସେନା ଷ୍ଟେସନ୍ ସିଗ୍ନାଲ୍ ପାଖରେ ଅନ୍ୟ ଏକ ଉଡ଼ନ୍ତା ଡ୍ରୋନ୍ ଦେଖାଯାଇଥିଲା। ପ୍ରତିରକ୍ଷା ଛାଉଣି ଅଞ୍ଚଳ ନିକଟରେ ଏହି ଡ୍ରୋନ୍ ସବୁ ଉଡୁଥିବା ଲକ୍ଷ୍ୟ କରାଯାଉଛି।
ଡ୍ରୋନ୍ ଉଡ଼ିବା ନେଇ ଅଧିକ ତଥ୍ୟ ସେନା ପକ୍ଷରୁ ଦିଆଯାଇ ନାହିଁ। ଡ୍ରୋନ୍ ବିପଦକୁ ଦୃଷ୍ଟିରେ ରଖି ଜାମ୍ମୁର ବାୟୁସେନା ଷ୍ଟେସନରେ ସୁରକ୍ଷା ପାଇଁ ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଜାମର ଭଳି ଅତ୍ୟାଧୁନିକ ଉପକରଣ ଲଗାଯାଇଛି। ଅଧିକାରୀଙ୍କ ଅନୁସାରେ, ବାୟୁସେନା ଷ୍ଟେସନରେ ଏନଏସଜି ମୁତୟନ ହୋଇଥିବା ବେଳେ ଆଣ୍ଟି ଡ୍ରୋନ୍ ସିଷ୍ଟମ ଲାଗିଛି। ଜାମ୍ମୁର ସମସ୍ତ ସେନା ଶିବିରରେ ଏହା ଲଗାଯିବ ବୋଲି ଜଣାପଡ଼ିଛି।
ଗତ ଚାରିଦିନ ହେବ ଜମ୍ମୁ ଅନ୍ତର୍ଗତ ସାମରିକ ଛାଉଣିଗୁଡ଼ିକ ନିକଟରେ ଅନ୍ୟୂନ ୭ଟି ଡ୍ରୋନ୍ ଉଡୁଥିବା ଦେଖାଗଲାଣି। ଜୁନ୍ ୨୭ ତାରିଖ ଦିନ ଦୁଇଟି ଡ୍ରୋନ୍ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ୍ରେ ଦୁଇଟି ବୋମା ଫିଙ୍ଗିଥିଲେ। ଏହା ହେଉଛି ଗୁରୁତ୍ବପୂର୍ଣ୍ଣ ସାମରିକ ଆଡ୍ଡା ଉପରେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ପ୍ରଥମ ଡ୍ରୋନ୍ ଆକ୍ରମଣ।
ଏହାର ଦିନକ ପରେ ମଧ୍ୟ ଭାରତୀୟ ବାୟୁସେନା କାଲୁଚକ ସାମରିକ ଛାଉଣି ପାଖରେ ଉଡୁଥିବା ଦୁଇଟି ଡ୍ରୋନ୍ ଉପରକୁ ଗୁଳି ଚଳାଇଥିଲା। ମଙ୍ଗଳବାର ରାତି ୨.୩୦ରେ ମଧ୍ୟ ଜମ୍ମୁସ୍ଥିତ ସୁଞ୍ଜ୍ୱାନ୍ ସାମରିକ ଛାଉଣି ସମେତ ତିନୋଟି ସ୍ଥାନରେ ଗୋଟିଏ ଡ୍ରୋନ୍ ଉଡୁଥିଲା।