୨୦୨୨ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ

ପୁରୀ: ୨୦୨୨ ସୁଦ୍ଧା ଜଗନ୍ନାଥ ଧାମ ପୁରୀରୁ ଉଡ଼ିବ ବିମାନ। ରାଜ୍ୟରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର। ସିପସରୁବାଲିରେ ପ୍ରସ୍ତାବିତ ବନ୍ଦର ନିର୍ମାଣ ହେବ ହେବ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
ମନ୍ତ୍ରୀଙ୍କ ସୂଚନା ମୁତାବକ, ପ୍ରଥମେ ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ଉପରେ ଚୂଡ଼ାନ୍ତ ମୋହର ବାଜିବ। କରୋନା ପରିସ୍ଥିତି ପାଇଁ କାମ ସାମାନ୍ୟ ବିଳମ୍ବିତ ହୋଇଛି। ରାଜ୍ୟର ରାଉରକେଲା ଓ ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି। ସେହିପରି ସମସ୍ତ ଅବିଭକ୍ତ ଜିଲ୍ଲାରେ ଥିବା ଏୟାର୍ ଷ୍ଟ୍ରିପ୍ର ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ପୁରୀ ଏକ ଆକର୍ଷଣୀୟ ଭ୍ରମଣସ୍ଥଳ ହୋଇଥିବାରୁ ଏଠାକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଦେଶ ତଥା ବିଦେଶରୁ ମହାପ୍ରଭୁଙ୍କ ଦର୍ଶନ ଓ ସମୁଦ୍ର ବେଳାଭୂମିର ମଜା ନେବା ପାଇଁ ଆସିଥାନ୍ତି। ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେଲେ ଏହା ରାଜ୍ୟ, ଦେଶ ଓ ବିଦେଶର ଯାତ୍ରୀଙ୍କ ପାଇଁ ବିଶେଷ ଫଳପ୍ରଦ ହେବ ବୋଲି କୁହାଯାଉଛି।