କୃଷି ଓ ଉଚ୍ଚଶିକ୍ଷାରେ ନୟାଗଡ଼ର ଦୁରବସ୍ଥା ବଖାଣିଲା କଂଗ୍ରେସ

ନୟାଗଡ଼: ଆଗକୁ ପୌର ନିର୍ବାଚନ ଓ ତା ପରେପରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ନୟାଗଡ଼ ଜିଲ୍ଲାରେ ଏ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ କସରତ। ସରକାରଙ୍କ ପକ୍ଷରୁ ଏବେ ଫଳକପୋତା, ଉଦ୍ଘାଟନ, ଭିତ୍ତିପ୍ରସ୍ଥର ସ୍ଥାପନ ଓ ନୂଆ ଯୋଜନା ଘୋଷଣା ଯୁଦ୍ଧକାଳୀନ ବେଗରେ ଚାଲିଥିବା ବେଳେ ଏସବୁ ଭୋଟ ଭେଳିକି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ। ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁଙ୍କ ନିଜ ବିଭାଗରେ ଜିଲ୍ଲା ସବୁଠୁ ପଛୁଆ ବୋଲି ସେ ମତ ଦେଇଛନ୍ତି।
ଶ୍ରୀ ଦାଶ କହିଛନ୍ତି ସ୍ଥାନୀୟ ବିଧାୟକ ସରକାରରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି। ଶାସକ ଦଳର ସେ ଜଣେ ଟାଣୁଆ ନେତା ହୋଇଥିଲେ ବି ଉଚ୍ଚଶିକ୍ଷା ଓ କୃଷି କ୍ଷେତ୍ରରେ ନୟାଗଡ଼ ପ୍ରତି ଚରମ ଅବହେଳା କରାଯାଇଛି। ଏପରିକି ଶିକ୍ଷାକ୍ଷେତ୍ରରେ ନୟାଗଡ଼ ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ଦାଶ କହିଛନ୍ତି। ନୟାଗଡ଼ର ସବ’ପୁରାତନ ମହାବିଦ୍ୟାଳୟ ନୟାଗଡ଼ ମହାବିଦ୍ୟାଳୟର ସ୍ବୟଂଶାସିତ ସ୍ଥିତି ଆଉ ନାହିଁ। ନାକ୍ ଟିମ୍ର ନିର୍ଦ୍ଦେଶାବଳି ଅନୁସାରେ ନିଜକୁ ସ୍ବୟଶାସିତ ବୋଲି ଦାବି କରିବାରେ କଲେଜ ଅସମର୍ଥ ହେବାରୁ ୨୦୧୮ରୁ ଏହି କଲେଜ ସ୍ବୟଶାସିତ ମାନ୍ୟତା ହରାଇଛି ବୋଲି ଶ୍ରୀ ଦାଶ କହିଛନ୍ତି। ନୟାଗଡ଼ କଳଷଜ ଠାରୁ ବହୁ ପଛରେ ପ୍ରତିଷ୍ଠା ହୋଇଥିବା ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନାକତଳେ ଥିବା ଏ କଲେଜ ସ୍ବୟଂଶାସିତ ମାନ୍ୟତା ହରାଇବା ଜିଲ୍ଲା ଓ ଜିଲ୍ଲାର ନିର୍ବାଚିତ ନେତାଙ୍କ ପାଇଁ ଲଜ୍ଜାଜନକ ପ୍ରସଙ୍ଗ ବୋଲି ଶ୍ରୀ ଦାଶ କହିଛନ୍ତି।
ଅନୁରୂପ ଭାବେ କୃଷିକ୍ଷେତ୍ରରେ ମଧ୍ୟ ନୟାଗଡ଼ ଅନ୍ୟ ଜିଲ୍ଲା ତୁଳନାରେ ଅତ୍ୟନ୍ତ ପଛୁଆ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ଦାଶ। ଅରୁଣ କୁମାର ସାହୁ ବିଧାୟକ ହେବା ପୂର୍ବରୁ ଜିଲ୍ଲାରେ ଆୟକଟ୍ ଅଞ୍ଚଳ (ଜଳସେଚିତ) ଯେତିକି ଥିଲା ସେଥିରେ ଇଞ୍ଚେ ମଧ୍ୟ ଅଧିକ ଯୋଡ଼ା ହୋଇନାହିଁ ବୋଲି ଶ୍ରୀ ଦାଶ କହିଛନ୍ତି। ନିର୍ବାଚନ ବେଳେ ବୃହତ୍ତ ବୃତ୍ତଙ୍ଗ ଜଳସେଚନ ଯୋଜନା ନେଇ ଜିଲ୍ଲାବାସୀଙ୍କ ମିଛ ପ୍ରତିଶ୍ରୁତି ଦିଆଯାଉଥିଲେ ବି ସେ କାମ ଆଗେଇ ପାରିନାହିଁ। ଜିଲ୍ଲାରେ ବେଆଇନ ପଥର ଖଣି ବଢ଼ିଚାଲିଥିବା ବେଳେ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା କରିବାରେ ସରକାର ଅସମର୍ଥ। ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ନୟାଗଡ଼ ଚିନିକଳକୁ ବନ୍ଦ କରି ସରକାର ହଜାର ହଜାର ଚାଷୀଙ୍କ ଦାନାପାଣି ଛଡ଼ାଇ ନେଇଛନ୍ତି। ଦଳମତ ନିର୍ବିଶେଷରେ ଚିନିକଳ ଚାଲୁ ପାଇଁ ଜିଲ୍ଲାରେ ସମସ୍ତେ ଆଗ୍ରହୀ ଥିବାବେଳେ ଖୋଦ୍ କୃଷିମନ୍ତ୍ରୀ ଶ୍ରୀ ସାହୁ ଏ ନେଇ ନିଦାବିଷ୍ଣୁ ଅବତାର ଧାରଣ କରିଛନ୍ତି ବୋଲି ଶ୍ରୀ ଦାଶ କ୍ଷୋଭ ଜଣାଇଛନ୍ତି।
ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ନୟାଗଡ଼ର ସମଦଶା। ଅବଶ୍ୟ ଜିଲ୍ଲାବାସୀଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ସରକାର କେନ୍ଦ୍ର ଓ ରାଜ୍ୟ ପାଣ୍ଠିରୁ ଜିଲ୍ଲାସାରା କେବଳ ଗୁଡ଼ିଏ ରାସ୍ତା ଆଉ କୋଠା ନିର୍ମାଣ କରି କୋଟିକୋଟି ଟଙ୍କାର ଦୁର୍ନିତି କରିଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି। ଶିକ୍ଷା, କୃଷି ଓ ସ୍ବାସ୍ଥ୍ୟକୁ ହିଁ ଆଗାମୀ ନିର୍ବାଚନରେ କଂଗ୍ରେସ ପ୍ରମୁଖ ପ୍ରସଙ୍ଗ କରିବ ବୋଲି କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି। ଏହା ଭିନ୍ନ ବିଗତ ୨୦ ବର୍ଷ ଭିତରେ ଜିଲ୍ଲାରେ ହୋଇଥିବା ରାଜନୈତିକ ହତ୍ୟାକାଣ୍ଡ, ଦୁର୍ନୀତି ଓ ଅପରାଦକୁ କଂଗ୍ରେସ ଲୋକଙ୍କ ନିକଟକୁ ନେବ ବୋଲି ସେ ସୂଚନା ଦେଇଛନ୍ତି।