ଈଶ୍ବରଙ୍କ ଅଭିଶାପ- ଟଙ୍କା ଦିଅ ନହେଲେ ମରୁଡ଼ି ହେବ!
![](https://www.odishalink.com/wp-content/uploads/2021/07/Ramesh-Chandra-750x430.jpg)
ଅହମଦାବାଦ: ନିଜକୁ ଭଗବାନ ବିଷ୍ଣୁଙ୍କ କଳ୍କୀ ଅବତାର କହି ଚର୍ଚ୍ଚାରେ ଥିଲେ। ଏବେ ଦିବ୍ୟ ଶକ୍ତି ବଳରେ ସାରା ବିଶ୍ବରେ ମରୁଡ଼ି ସ୍ଥିତି ସୃଷ୍ଟି କରିବେ ବୋଲି ଧମକ ଦେଇଛନ୍ତି ଗୁଜୁରାଟର ରମେଶଚନ୍ଦ୍ର ଫେଫର। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ରମେଶଚନ୍ଦ୍ର ଫେଫର ଜଳ ସମ୍ପଦ ବିଭାଗରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ୨୦୧୮ ମସିହାରେ ସେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ସେ ନିଜକୁ ଭଗବାନ ବିଷ୍ଣୁଙ୍କ କଳ୍କୀ ଅବତାର କହିବା ସହ କାର୍ଯ୍ୟାଳୟକୁ ଯାଇ ପାରିବେ ନାହିଁ ବୋଲି କହିଥିଲେ। ଏପରିକି ସେ ୮ ମାସରେ ମାତ୍ର ୧୬ ଦିନ ଅଫିସ୍ ଆସିଥିଲେ। ଯେଉଁଥିପାଇଁ ତାଙ୍କ ପାଖକୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ଜଳ ସମ୍ପଦ ବିଭାଗ। ଯେଉଁଥିରେ ସେ ନିଜକୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଉଲ୍ଲେଖ କରିଥିଲେ। ଏହାପରେ ଫେଫରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।
ଏବେ ଫେଫର ଜଳ ସମ୍ପଦ ବିଭାଗ ସଚିବଙ୍କୁ ଜୁଲାଇ ୧ ତାରିଖରେ ଏକ ଚିଠି ଲେଖିଥିଲେ। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ଚିଠିରେ ଲେଖିଛନ୍ତି ଯେ, ସରକାରରେ ଥିବା ରାକ୍ଷାସ ମାନେ ୧୬ ଲକ୍ଷ ଟଙ୍କାର ଗ୍ରାଚ୍ୟୁଟି ଓ ବର୍ଷକର ଦରମା ଉପରେ ରୋକ ଲଗାଇ ମୋ ଚିନ୍ତା ବଢ଼ାଉଛନ୍ତି। ସେ ଆହୁରି କହିଛନ୍ତି ଯେ, ଯେଉଁଭଳି ଭାବେ ହଇରାଣ କରାଯାଉଛି ସେହି କାରଣରୁ ଦୁନିଆରେ ମରୁଡ଼ି ଭଳି ସ୍ଥିତି ଉପୁଜାଇ ପାରେ। କାହିଁକି ନା ମୁଁ ଭଗବାନଙ୍କ ବିଷ୍ଣୁ ଅବତାର।
ଫେଫର ଚିଠିରେ ଦାବି କରିଛନ୍ତି ଯେ, ସେ ଭଗବାନ ବିଷ୍ଣୁଙ୍କ କଳ୍କୀ ଅବତାର ରୂପେ ଧରାପୃଷ୍ଠରେ ଥିବା କାରଣରୁ ବିଗତ ୨ ବର୍ଷ ହେଲାଣି ଭାରତରେ ବହୁତ ଭଲ ବର୍ଷା ହେଉଛି। ଯାହାଫଳରେ ମରୁଡ଼ି ସ୍ଥିତି ଦେଶରେ ଉପୁଜି ନାହିଁ। ବିଗତ ୨୦ ବର୍ଷ ଧରି ଭଲ ବର୍ଷା ହେବା କାରଣରୁ ଭାରତକୁ ୨୦ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ଏସବୁ ସତ୍ତ୍ବେ ସରକାରରେ ଥିବା ରାକ୍ଷାସ ମାନେ ମୋତେ ହଇରାଣ କରୁଛନ୍ତି। ଏହି କାରଣରୁ ଦେଶରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି କରିବି ବୋଲି ସେ କହିଛନ୍ତି।
ଅପରପକ୍ଷେ ଜଳ ସମ୍ପଦ ବିଭାଗର ସଚିବ ଏମ କେ ଯାଦବ କହିଛନ୍ତି ଯେ, ଫେଫଣ କାର୍ଯ୍ୟାଳୟ ନଆସିଥିବା ସମୟର ମଧ୍ୟ ଦରମା ମାଗୁଛନ୍ତି। ଏଥିସହିତ ସେ କହୁଛନ୍ତି ଯେ, ତାଙ୍କ ଉପସ୍ଥିତି ଯୋଗୁଁ ଭଲ ବର୍ଷା ହେଉଛି। ଯେଉଁଥିପାଇଁ ତାଙ୍କୁ ଟଙ୍କା ମିଳିବା ଦରକାର ବୋଲି ଯାଦବ କହିଛନ୍ତି।