ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୫୨ ମୃତ

ଢାକା: ଜୁସ ଫ୍ୟାକ୍ଟରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡି ହୋଇ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅଧିକାଂଶ କର୍ମଚାରୀ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତିି।
ବାଂଲାଦେଶର ଢାକାରେ ଥିବା ସେଜନ ଜୁସ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନ ପ୍ରାୟ ୫ଟାବେଳେ ନିଆଁ ଲାଗିଯାଇଥିଲା। ଆଉ ଚାଁହୁଚାଁହୁ ଏହି ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା। କର୍ମଚାରୀମାନେ କିଛି ବୁଝିବା ଆଗରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ଏବଂ ୫୨ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
କୁହାଯାଉଛି ଯେ ପ୍ରଥମେ ନିଆଁ ତଳମହଲାରେ ଲାଗିଥିଲା। ଆଉ ତଳମହଲାରେ ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ଅଗ୍ନିକାଣ୍ଡ ତଳ ମହଲାରୁ ଉପରକୁ ବ୍ୟାପିଯାଇଥିଲା ନିିଆଁ ଲାଗିବାର କାରଣ ଜଣାପଡ଼ି ନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି।
ନିଆଁକୁ ଆୟତ୍ତ କରିବା ପାଇଁ ୧୮ଟି ଦମକଳ ବାହିନୀ ନିୟୋଜିତ ହୋଇଥିବାବେଳେ ଉଦ୍ଧାର ହୋଇଥିବା କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ନିଆଁ ଲାଗିବା ପରେ କାରଖାନାର ଏକମାତ୍ର ପ୍ରସ୍ଥାନ ଫାଟକ ବନ୍ଦ ହୋଇଯାଇଥିଲା। ବିଲଡିଂରେ କୌଣସି ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଅଗ୍ନିକାଣ୍ଡ ହୋଇଛି।