ଆଇପିଏସ୍ ଅଫସିରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ରାୟପୁର: ଆଇପିଏସ୍ ଅଫିସରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ। ଏପରି ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି। ଘଟିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚଳିତ ସପ୍ତାହରେ ନିଲମ୍ବିତ ହୋଇଥିବା ଆଇପିଏସ୍ ଜିପି ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ୍ ଦେଶଦ୍ରୋହ ମାମଲା ରୁଜୁ କରିଛି।
ନିଲମ୍ବିତ ହେବା ପୂର୍ବରୁ ଆଇପିଏସ୍ ଜିପି ସିଂହଙ୍କ ଘରେ ରାଜ୍ୟରେ ଏସିବି ଓ ଅର୍ଥନୀତିକ ଅପରାଧ ଶାଖା ପକ୍ଷରୁ ରେଡ୍ କରିଥିଲା। ରେଡ୍ ବେଳେ ତାଙ୍କ ପାଖରୁ ମିଳିଥିବା ଦସ୍ତବିଜ୍ ସମସ୍ତଙ୍କୁ ଚକିତ କରିଛି। ସେ ରାଜ୍ୟରେ ବିଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ବିଦ୍ୱେଶ ଓ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଏହି ଦସ୍ତାବିଜକୁ ଯାଞ୍ଚ କରିବା ପରେ ସାମ୍ନାକୁ ଆସିଛି। ନିର୍ବାଚିତ ସରକାରଙ୍କ ବ୍ୟତୀତ ଲୋକ ପ୍ରତିନିଧିମାନଙ୍କ ବିରୋଧରେ ମଧ୍ୟ ଜିପି ସିଂହ ଷଡ଼ଯନ୍ତ୍ର କରୁଥିବା ପୁଲିସ୍ ଜାଣିବାକୁ ପାଇଛି।
ଏହାପରେ ପୁଲିସ୍ ପକ୍ଷରୁ ତାଙ୍କ ନାଁରେ ଆଇପିସିର ୧୨୪-ଏ(ଦେଶଦ୍ରୋହ) ଓ ୧୫୩-ଏ ଜରିଆରେ ରାୟପୁରର ସିଟି କୋଟୱାଲି ଥାନାରେ ମାମଲା ରୁଜୁ କରାଯାଇଛି। ଏବେ ଘଟଣାର ଅଧିକ ଯାଞ୍ଚ କରାଯାଉଥିବା ରାୟପୁର ଏସଏସପି ଅଜୟ ଯାଦବ କହିଛନ୍ତି।
ସୂଚନାଯୋଗ୍ୟ, ଜିପି ସିଂହଙ୍କ ୧୫ଟି ଠିକଣାରେ ଏସିବି ଓ ଇଓଡବ୍ଲ୍ୟୁ ଏକକାଳୀନ ରେଡ କରିଥିଲେ। ତାଙ୍କ ପାଖରୁ ୧୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବନର ସମ୍ପତ୍ତି ଜବତ କରାଯାଇଥିଲା। ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ଏଥିରେ ଦେଶର ପ୍ରତିଷ୍ଠିତ ନେତାମାନଙ୍କ ନାଁରେ ଆପତ୍ତିଜନକ କଥା ସବୁ ଲେଖା ଯାଇଥିଲା। ଏହାକୁ ଆଧାର କରି ପୁଲିସ୍ ଦେଶଦ୍ରୋହ ମାମଲା କରିଛି।