ଜନସଂଖ୍ୟା ବିଧେୟକ ୨୦୨୧: ଦୁଇରୁ ଅଧିକ ପିଲା ଥିଲେ ମିଳିବ ନାହିଁ ଏହି ସୁବିଧା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଜନସଂଖ୍ୟା ବିଧେୟକ ୨୦୨୧ ପ୍ରସ୍ତତ କରାଯାଇଛି। ରାଜ୍ୟ ବିଧି ଆୟୋଗ ଏହାକୁ ଶେଷ ପର୍ଯ୍ୟାୟରେ ଅନୁଧ୍ୟାନ କରିବା ପରେ ସରକାରଙ୍କ ନିକଟରେ ଦାଖଲ କରିବେ। ଏହି ବିଧେୟକ ମୁତାବକ ୨ରୁ ଅଧିକ ପିଲାଙ୍କ ପିତାମାତା ସରକାରୀ ଚାକିରୀରୁ ବଞ୍ଚିତ ହେବେ ଏବଂ ନିର୍ବାଚନ ଲଢିପାରିବେ ନାହିଁ। ଏନେଇ ଆୟୋଗ ତରଫରୁ ଡ୍ରାଫ୍ଟକୁ ସରକାରୀ ୱେବସାଇଟରେ ପବ୍ଲିସ କରାଯାଇ ଜୁଲାଇ ୧୯ ତାରିଖ ମଧ୍ୟରେ ଲୋକଙ୍କ ମତ ଲୋଡାଯାଇଛି।
ଉତ୍ତରପ୍ରଦେଶ ରାଜ୍ୟ ବିଧି ଆୟୋଗଙ୍କ ପ୍ରସ୍ତାବ ମୁତାବକ ରାଜ୍ୟରେ ୨ ରୁ ଅଧିକ ପିଲା ଥିବା ଲୋକମାନେ ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବେ ନାହିଁ। ଚାକିରୀ କରିଥିଲେ ପ୍ରମୋସନ ମିଳିବ ନାହିଁ। ସରକାରଙ୍କର ୭୭ ଟି ଯୋଜନାର ଲାଭ ବି ସେମାନଙ୍କୁ ମିଳିବ ନାହିଁ। ଏହାସହ ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ଲଢିବାକୁ ଅନୁମତି ମିଳିବ ନାହିଁ।
ଏହି ବିଧେୟକ ଲାଗୁ ହେବା ପରେ ଏକ ବର୍ଷ ମଧ୍ୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ସରକାରଙ୍କୁ ଏକ ଶପଥ ପତ୍ର ଦେବାକୁ ହେବ। ଆଇନ ଲାଗୁ ହେବା ପରେ ଯଦି କେହି ଏହି ଆଇନର ଅବମାନନା କରନ୍ତି ତେବେ ତାଙ୍କ ନିର୍ବାଚିତ ପଦ ରଦ୍ଦ ହେବ ଓ ସରକାରୀ କର୍ମଚାରୀଙ୍କୁ ପ୍ରମୋସନ ମିଳିବ ନାହିଁ।
ଗୋଟିଏ ପିଲା ଥିବା ବାପା ଓ ମାଙ୍କୁ ସରକାର ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବେ। ଯଦି ପରିବାରର ଅବିଭାବକ ସରକାରୀ ଚାକିରୀ କରୁଛନ୍ତି ତ ତାଙ୍କୁ ଇନକ୍ରିମେଣ୍ଟ, ପ୍ରମୋସନ ଭଳି ସୁବିଧାରେ ଅଗ୍ରାଧିକାର ଦିଆଯିବ। ଅନ୍ୟପଟେ ଯଦି ୨ ଟି ପିଲା ଥିବା ଅବିଭାବକ ସରକାରୀ ଚାକିରୀ କରୁଛନ୍ତି ତେବେ ତାଙ୍କୁ ବିଜୁଳି, ପାଣି, ହାଉସ୍ ଟ୍ୟାକ୍ସ ରେ କିଛି ଅର୍ଥ ଛାଡ କରାଯିବ।
ୱାନ୍ ଚାଇଲ୍ଡ ପଲିସି ଗ୍ରହଣ କରୁଥିବା ବିପିଏଲ ବର୍ଗର ପିତାମାତାଙ୍କୁ ବିଶେଷ ଉତ୍ସାହିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ଅଧୀନରେ, ଯେଉଁ ପିତାମାତାମାନେ ପ୍ରଥମ ସନ୍ତାନର ଜନ୍ମ ପରେ ଅପରେସନ୍ କରିବେ, ସେମାନଙ୍କୁ ଅନେକ ସୁବିଧା ଦିଆଯିବ। ପ୍ରଥମ ସନ୍ତାନ ଯଦି ପୁଅ ହୁଏ ତେବେ ୮୦ ହଜାର ଟଙ୍କା ଦିଆଯିବାକୁ ଥିବା ବେଳେ ଝିଅ ହେଲେ ୧ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସରକାରୀ ଚାକିରୀ କରୁଥିବା ଅବିଭାବକଙ୍କର ଗୋଟିଏ ପିଲା ଥିଲେ ପିଲାଟିକୁ ୨୦ ବର୍ଷ ହେବା ଯାଏଁ ସରକାର ମାଗଣା ଚିକିତ୍ସା ଯୋଗାଇ ଦେବେ। ଏହାସହ ଶିକ୍ଷା, ବୀମା ଓ ସରକାରୀ ଚାକିରୀରେ ଅଗ୍ରାଧିକାର ମିଳିବ।
ଦୁଇରୁ ଅଧିକ ପିଲାଙ୍କ ପିତାମାତାଙ୍କୁ ବିଭିନ୍ନ ସୁବିଧାରୁ ବଞ୍ଚିତ ରଖିବାକୁ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଏଥିରେ ସେମାନଙ୍କୁ ସ୍ଥାନୀୟ ସଂସ୍ଥାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନଦେବା, ସରକାରଙ୍କ ଠାରୁ ସବସିଡି ବନ୍ଦ କରିବା, ସରକାରୀ ଚାକିରୀ ପାଇଁ ଆବେଦନ ବନ୍ଦ କରିବା ଏବଂ ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତିରୁ ବଞ୍ଚିତ ରଖିବା ଭଳି ପ୍ରସ୍ତାବ ଦିଆଯାଇଛି। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ନାଗରିକମାନଙ୍କୁ ଉନ୍ନତ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ସମସ୍ତ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ବିଦ୍ୟାଳୟରେ ଜନସଂଖ୍ୟା ନିୟନ୍ତ୍ରଣ ସହ ଜଡିତ ପାଠ୍ୟକ୍ରମ ଶିକ୍ଷା ଦିଆଯିବା ଉଚିତ ବୋଲି ଆୟୋଗ ପରାମର୍ଶ ଦେଇଛନ୍ତି।