ଖୋଲିଲା ହୀରାକୁଦର ୨ଟି ଗେଟ, ନିଷ୍କାସିତ ହେଉଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ରବିବାର ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍। ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରରେ କ୍ରମାଗତ ଭାବେ ଜଳସ୍ତର ବଢୁଥିବାରୁ ଜଳଭଣ୍ଡାରର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ଡ୍ୟାମ୍ କର୍ତ୍ତୃପକ୍ଷ। ଏନେଇ ପୂର୍ବରୁ ସୂଚନା ମଧ୍ୟ ଦେଇଥିଲେ ଡ୍ୟାମ୍ କର୍ତ୍ତୃପକ୍ଷ। ପ୍ରଥମେ ୭ ନମ୍ବର ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ୨ଟି ଗେଟ୍ ଖୋଲିଛି। ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆଉ କେତୋଟି ଗେଟ୍ ଖୋଲିବ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Release of 1st flood water on 11.07.21 at 11:00 AM from Hirakud Dam through two Sluice gates.@CMO_Odisha @RaghunandanDas6 @SecyChief @_anugarg @SRC_Odisha @IPR_Odisha @DmSambalpur pic.twitter.com/m6s085mm7G
— Deptt. of Water Resources (@OdishaWater) July 11, 2021
ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୬୯ ରହିଥିଲା। ଜଳଭଣ୍ଡାରକୁ ୭୪,୫୨୧ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୨୩,୪୮୩ କୁ୍ୟସେକ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ପାୱାର ଚାନେଲ ଦେଇ ୧୯,୦୨୦ କୁ୍ୟସେକ ଓ କେନାଲଗୁଡ଼ିକରେ ୪,୧୯୧ କୁ୍ୟସେକ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନ ଗୁଡ଼ିକ ୨୭୨ କୁ୍ୟସେକ ପାଣି ନେଉଥିବା ହୀରାକୁଦ ଡ୍ୟାମ୍ ସୂତ୍ରରୁ ପ୍ରକାଶ।
ଅପରପକ୍ଷେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ତଳମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଫଳରେ ନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଛି।