ଚିକିତ୍ସାଧୀନ ଅବସ୍ଥାରେ ହାବିଲଦାରଙ୍କ ମୃତ୍ୟୁ, ଚେକିଂ ବେଳେ ଧକ୍କା ଦେଇଥିଲା ଅଟୋ

ଭୁବନେଶ୍ବର: ଚିକିତ୍ସାଧୀନ ଅବସ୍ଥାରେ ହାବିଲଦାର ମେଜର ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର କଳ୍ପନା ଛକରେ ଡ୍ୟୁଟି କରୁଥିବା ବେଳେ ତାଙ୍କୁ ଏକ ଅଟୋ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ଓ ପରେ ଏମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ସପ୍ତାହନ୍ତ ସଟଡାଉନ୍ ଥିବାରୁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ ଜାରି ରହିଥିଲା। ଭୁବନେଶ୍ବର କଳ୍ପନା ଛକରେ ଚେକିଂ ଚାଲିଥିବା ବେଳେ ସକାଳ ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ଅଟକାଇବା ବେଳେ ହାବିଲଦାର ତଳେ ପଡିଯାଇଥିଲେ। ତେବେ ମଦ୍ୟପ ଅଟୋ ଚାଳକ ହାବିଲଦାରଙ୍କ ମୁଣ୍ଡରେ ଅଟୋ ଚଢାଇ ଦେଇଥିଲା।
ଗୁରୁତର ହାବିଲଦାର ମେଜର ସରୋଜ କୁମାର ପ୍ରଧାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।