ପରଲୋକରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଈଶ୍ୱର ବିଶୋଇ

ନୟାଗଡ଼: ଆଉ ନାହାନ୍ତି ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଈଶ୍ୱର ବିଶୋଇ। ଗୁରୁବାର ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି। ବାର୍ଦ୍ଧ୍ୟକ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ଶ୍ରୀ ବିଶୋଇ ରଣପୁର ବ୍ଲକର ମଝିଆଖଣ୍ଡ ଗ୍ରାମରେ ୧୯୨୧ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।। ସେ ୧୯୪୩ ମସିହାରେ ଆଜାଦହିନ୍ଦ୍ ଫୌଜରେ ଯୋଗ ଦେଇଥିଲେ । ୧୯୪୫ ମସିହା ମେ ୬ତାରିଖ ଦିନ ତାଙ୍କୁ ବନ୍ଦୀ କରି ଇଂରେଜ ସରକାର ରେଙ୍ଗୁନ୍ ଜେଲରେ ରଖିଥିଲେ ଏବଂ ପରେ ପରେ ରେଙ୍ଗୁନ୍ ସେଂଟ୍ରାଲ ଜେଲରେ ୧୧ମାସ ବନ୍ଦୀ ରହି ୧୯୪୬ ମସିହା ଏପ୍ରିଲ ୨୭ତାରିଖରେ ଜେଲରୁ ମୁକୁଳିଥିଲେ।
ଶ୍ରୀ ବିଶୋଇ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ଗତବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରାନ୍ତି ଦିବସ ଅବସରରେ ଶ୍ରୀ ବିଶୋଇଙ୍କୁ ରାଷ୍ଟ୍ରପତି ପଦତ୍ତ ମାନପତ୍ର ତାଙ୍କ ବାସଭବନରେ ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।