ସତ୍ୟ ସାଇ ଏନ୍କ୍ଲେଭ୍ ଅଞ୍ଚଳକୁ କନଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ହେଲେ ଖୋର୍ଦ୍ଧା, କଟକ ଭଳି ଜିଲ୍ଲାରେ କରୋନା ମାମଲା ଏବେ ବି ଉପରମୁହାଁ ଅଛି। ଏସବୁ ମଧ୍ୟରେ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ସତ୍ୟ ସାଇ ଏନ୍କ୍ଲେଭକୁ କନଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି। ସଂକ୍ରମଣ ମାତ୍ରା ବୃଦ୍ଧି ପାଇଥିବାରୁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ ।
ମିଳିଥିବା ସୂଚନାମୁତାବିକ, ସତ୍ୟ ସାଇ ଏନ୍କ୍ଲେଭରେ ରହୁଥିବା ଅଧିବାସୀଙ୍କ ବାହାରକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି । ଅର୍ଥାତ ସେଠାରୁ ବାହାରକୁ କେହି ଆସିପାରିବେ ନାହିଁ ଏବଂ ବାହାରୁ କୌଣସି ବ୍ୟକ୍ତି ସେଠାକୁ ପ୍ରବେଶ କରିପାରିବେ ନାହିଁ । ଏହା ସହିତ ସତ୍ୟ ସାଇ ଏନ୍କ୍ଲେଭରେ ରହୁଥିବା ସମସ୍ତ ଅଧିବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଡାକ୍ତରୀ ସେବା ଯୋଗାଇ ଦେବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି । ଏହା ସହିତ ସଂପୃକ୍ତ ଅଞ୍ଚଳରେ ଥିବା ସମସ୍ତ ଅଫିସ ମଧ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି ।