ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
![](https://www.odishalink.com/wp-content/uploads/2021/07/t-series-750x430.jpg)
ନୂଆଦିଲ୍ଲୀ: ଟି-ସିରିଜ୍ର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ। ଏନେଇ ଭୂଷଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି।
ପୀଡିତା ଅଭିଯୋଗ କରିଛନ୍ତି ଯେ, ୨୦୧୭ ମସିହାରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ କାମ ଦେବା ନାମରେ ସେ ତାଙ୍କ ସହ ଅନୈତିକ କାମ କରି ଆସୁଥିଲେ। ପୀଡିତା ଭୂଷଣ କୁମାରଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନଗର ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଛନ୍ତି।
ସିଏନ୍ଏନ୍-ନ୍ୟୁଜ୍ ୧୮ ସହିତ କଥାବାର୍ତ୍ତା ବେଳେ ମୁମ୍ବାଇ ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ, ଆଇପିସିର ଧାରା ୩୭୬ ଅନୁଯାୟୀ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।
ଏ ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମୁମ୍ବାଇର ଡିଏନ ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଚାଲିଛି, ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ବର୍ତ୍ତମାନ ମୁମ୍ବାଇ ପୋଲିସ ଭୂଷନ କୁମାରଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବିବୃତ୍ତି ରେକର୍ଡ କରିବ ବୋଲି ଆଶା ପୋଷଣ କରାଯାଉଛି।
ଭୂଷଣ କୁମାର ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା। ୧୯୯୭ରେ ତାଙ୍କ ପିତା ଗୁଲଶନ କୁମାରଙ୍କୁ ହତ୍ୟା କରାଯିବା ପରେ ସେ ମ୍ୟୁଜିକ୍ କମ୍ପାନୀ ଟି-ସିରିଜ୍ର ଦାୟିତ୍ୱ୍ ଗ୍ରହଣ କରିଥିଲେ। ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା। ସେ ୨୦୧୧ରେ ରୋମାନ୍ସ ଡ୍ରାମା ‘ତୁମ୍ ବିନ୍’ ସହିତ ଚଳଚ୍ଚିତ୍ର ଶିଳ୍ପରେ ପ୍ରବେଶ କରିଥିଲେ। ଭୂଷଣ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି।