୪୭୭ ପୁଲିସ SI ପଦବି ପାଇଁ ୧,୩୨,୪୯୬ ପ୍ରାର୍ଥୀ କରିଛନ୍ତି ଆବେଦନ

କଟକ: ରାଜ୍ୟ ପୁଲିସରେ ସବ୍ ଇନ୍ସପେକ୍ଟର (ଏସ୍ଆଇ) ପଦବିରେ ନିଯୁକ୍ତି ପାଇଁ ଆବେଦନର ଅବଧି ଶେଷ ହୋଇଛି । ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ତାରିଖ । ଆବେଦନ ଶେଷ ମଧ୍ୟରେ ମୋଟ୍ ୧ ଲକ୍ଷ ୩୨ ହଜାର ୪୯୬ ଜଣ ପ୍ରାର୍ଥୀ ଅନ୍ଲାଇନ୍ରେ ଫି’ ପୈଠ କରି ଆବେଦନ କରିଛନ୍ତି । ଏହାଛଡ଼ା ଅନ୍ୟ କିଛି ଛାତ୍ରଛାତ୍ରୀ ଆବେଦନ କରିଥିଲେ ବି ସେମାନେ ସେମାନଙ୍କର ପରୀକ୍ଷା ଫି’ ଦେଇନାହାନ୍ତି । ଫି’ ଦାଖଲ ପାଇଁ କିଛି ଦିନ ସମୟ ରହିଛି । ତେଣୁ ପ୍ରାର୍ଥୀଙ୍କ ସଂଖ୍ୟା ଆଉ କିଛି ବଢ଼ିବ ବୋଲି ଅନୁମାନ କରାଯାଉଛି ।
ଓଡ଼ିଶା ପୁଲିସରେ ୪୭୭ଟି ସବ୍ ଇନ୍ସପେକ୍ଟର ପଦବି ପାଇଁ ଗତ ଜୁନ୍ ୨୨ରେ ବିଜ୍ଞାପନ ପ୍ରକାଶ ପାଇଥିଲା । ସେହିଦିନଠାରୁ ହିଁ ଅନ୍ଲାଇନ୍ ଯୋଗେ ଆବେଦନ ଆରମ୍ଭ ହୋଇଥିଲା । ଆବେଦନର ଶେଷ ତାରିଖ ଥିଲା ଜୁଲାଇ ୧୫ । ମିଳିଥିବା ତଥ୍ୟ ଅନୁସାରେ, ଏସ୍ଆଇ ପଦବି ପାଇଁ ୯୭ ହଜାର ୫୦୬ ପୁରୁଷ, ୩୪ ହଜାର ୯୬୪ ମହିଳା ଓ ୨୬ ଜଣ କିନ୍ନର ଆବେଦନ କରିଛନ୍ତି ।
ସେହିପରି ବର୍ଗ ଅନୁସାରେ ଦେଖିଲେ ଏସ୍ସି (ତଫସିଲଭୁକ୍ତ ଜାତି) ବର୍ଗରେ ୨୯ ହଜାର ୭୧୦ ଜଣ, ଏସ୍ଟି (ତଫସିଲଭୁକ୍ତ ଜନଜାତି) ୨୪ ହଜାର ୧୯୩ ଜଣ, ଏସ୍ଇବିସି (ସାମାଜିକ ଓ ଆର୍ଥିକ ପଛୁଆବର୍ଗ) ୫୨ ହଜାର ୨୭୪ ଓ ୟୁୟାର୍ (ଅସଂରକ୍ଷିତ) ବର୍ଗରେ ୨୬ ହଜାର ୩୧୯ ଜଣ ପ୍ରାର୍ଥୀ ଏସ୍ଆଇ ପଦବି ପାଇଁ ଆବେଦନ କରିଛନ୍ତି ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।