ହଠାତ୍ ପିଏମ୍ ମୋଦୀଙ୍କୁ କାହିଁକି ଭେଟିଲେ ୟେଦ୍ଦ୍ୟୁରପ୍ପା? ପାଓ୍ବାର କରିଡରରେ ଚର୍ଚ୍ଚା
ନୂଆଦିଲ୍ଲୀ: ହଠାତ୍ ଦିଲ୍ଲୀ ଆସି ପିଏମ୍ ମୋଦୀଙ୍କୁ ସାକ୍ଷାତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦ୍ୟୁରେପ୍ପା। ଦୀର୍ଘଦିନ ଧରି ରାଜ୍ୟରେ ନେତୃତତ୍ବ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ମୋଦୀ ୟେଦ୍ଦୁରପ୍ପାଙ୍କ ଭେଟାଭେଟିକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୩୦ ମିନିଟ୍ ଧରି ମୋଦୀ ଓ ୟେଦ୍ଦୁରପ୍ପାଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା।
ମୋଦୀଙ୍କୁ ଭେଟିବା ପରେ ୟେଦ୍ଦୁରପ୍ପାଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ ମୋଦୀଙ୍କ ସହ କିଛି ଆଲୋଚନା ହେଲା କି ପଚାରିଥିଲେ। ହେଲେ ୟେଦ୍ଦୁରପ୍ପା ହସରେ ଉଡ଼ାଇ ଦେଇ କହିଥିଲେ ଯେ, “ନେତୃତ୍ୱ ପରିବର୍ତ୍ତନ ନେଇ ଚାଲିଥିବା ଗୁଜବ ସମ୍ପର୍କରେ ମୁଁ କିଛି ଜାଣନି। ଆପଣ ମୋତେ କୁହନ୍ତୁ।”
ସୂଚନାଯୋଗ୍ୟ, ଶୁକ୍ରବାର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିସିରେ ଆଲୋଚନା କରିବା ପରେ ୟେଦ୍ଦ୍ୟୁରପ୍ପା ନିଜ ପୁଅଙ୍କ ସହ ଦିଲ୍ଲୀ ବାହାରି ଥିଲେ। ଅପରାହ୍ନ ୩.୩୦ରେ ୟେଦ୍ଦ୍ୟୁରପ୍ପା ଓ ତାଙ୍କ ପୁଅ ବିଜେୟନ୍ଦ୍ର ଦିଲ୍ଲୀରେ ଲ୍ୟାଣ୍ଡ କରିଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ୟେଦ୍ଦ୍ୟୁରପ୍ପା ପ୍ରାୟ ୩୦ ମିନିଟ୍ ମୋଦୀଙ୍କ ସହ ବୈଠକ କରିଥିଲେ। ସେ ଶନିବାର ବେଙ୍ଗାଲୁରୁ ଫେରିବେ। ଏହାପୂର୍ବରୁ ସେ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।