ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ସୌମ୍ୟଙ୍କ ମା’ କହିଲେ…

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। ଆଜି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ପଚରାଉଚରା କରୁଛି ପୋଲିସ। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ପଚରାଉଚରା ବେଳେ, ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’।
ସୌମ୍ୟଙ୍କ ମା’ କହିଛନ୍ତି, ବୋହୂ ମୋ ପୁଅକୁ ନୁହେଁ, ବରଂ ଡିଏଫଓଙ୍କୁ ଭଲ ପାଉଥିଲା। ମୋ ପୁଅ ମରିବା ଆଗରୁ ବୋହୂ ସବୁ ଜିନିଷ ହାତେଇ ନେଇଛି। ମୋ ପୁଅ ମଲେ ବୋହୂ ସବୁ ଜିନିଷ ନେବ ବୋଲି ଏଗ୍ରିମେଣ୍ଟ ବି ହୋଇଛି। ଯଦି ବୋହୂ ମୋ ପୁଅକୁ ମାରିନି, ତା ହେଲେ ଏଗ୍ରିମେଣ୍ଟ କ’ଣ ପାଇଁ କରିଥିଲା। ମୋ ପୁଅର ଟ୍ରାନ୍ସଫର ହୋଇ ଯାଇଥିବା ଜାଣିବା ପରେ ବୋହୂ ଘରୁ ସବୁ ଜିନିଷ ନେଇ ଯାଇଛି।
ଏଥିସହ ୬ ମାସ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ସମ୍ପର୍କ ଠିକ୍ ନ ଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’। ସେ କହିଛନ୍ତି, ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା। ଦିନେ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ବୋହୂ ରାଗି ଶଙ୍ଖା, ଚୁଡ଼ି ଭାଙ୍ଗିବା ସହ ମୁଣ୍ଡରୁ ସିନ୍ଦୂର ପୋଛି କେଉଁଆଡ଼େ ଚାଲି ଯାଇଥିଲା। ଏହାପରେ ପୁଅ ବହୁ ଖୋଜାଖୋଜି କରିବା ପରେ ଡିଏଫଓଙ୍କ ବାସଭବନରେ ବୋହୂ ଥିବା ଦେଖିବାକୁ ପାଇଥିଲା।
ଅପରପକ୍ଷେ, ସୌମ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାସ୍ଥିତ ବିଦ୍ୟାଭରତୀଙ୍କ ଘରେ ପହଂଚି ତାଙ୍କୁ ପଚରାଉଚରା କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।