ଚିତ୍ର ହଟାଇବାକୁ ସିଟି ଇଞ୍ଜିନିୟରଙ୍କୁ BMC କମିଶନରଙ୍କ ନିର୍ଦ୍ଦେଶ
![](https://www.odishalink.com/wp-content/uploads/2021/07/217402194_10165413135410453_8587400058442340271_n.jpg)
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଚେତନତା ନାଁରେ କାନ୍ଥରେ ଅଶ୍ଳୀଳ ଚିତ୍ର। ନୟାପଲ୍ଲୀ ରାସ୍ତାକଡ କାନ୍ଥରେ ଅଶ୍ଳୀଳ ଚିତ୍ର ନେଇ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ବିଏମସି। କମିଶନର ସଂଜୟ ସିଂହ କହିଛନ୍ତି, ତୁରନ୍ତ କାନ୍ଥ ବାଡରୁ ଏହି ଚିତ୍ର ସବୁ ହଟାଇ ଦିଆଯିବ। ଏପରିକି ଏହାର ତଦନ୍ତ ପାଇଁ ସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଏଭଳି ଚିତ୍ର କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ପ୍ରତିଶ୍ରୁତି ଦେଇଛନ୍ତି।
ନୟାପଲ୍ଲୀ ରାସ୍ତା କଡ କାନ୍ଥରେ ବିଏମସିର ଅଜବ କରୋନା ସଚେତନତା ଚିତ୍ର ଦେଖିବାକୁ ମିଳିଥିଲା। ମହାମାରୀକୁ ନେଇ ବଡ ବଡ ପୋଷ୍ଟର ବ୍ୟାନର ସହ ଟିଭି, ଖବରକାଗଜ ଓ ରାସ୍ତାକଡ ପାଚେରୀରେ ବିଜ୍ଞାପନ ଓ ଚିତ୍ର ଜରିଆରେ ଲୋକଙ୍କୁ ସଚେତନ କରୁଛନ୍ତି ସରକାର। ହେଲେ କରୋନା ସଚେତନତା ସହ ଅଶ୍ଲୀଳ ଇଙ୍ଗିତକୁ ପ୍ରଶୟ ଦିଆଯାଇଥିବା ଏକ ଚିତ୍ରକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ନୟାପଲ୍ଲୀ ବ୍ରିଟ କଲୋନୀ ପାଖରେ ଥିବା ରାସ୍ତାକଡ ପାଚେରୀରେ ଏହି ଚିତ୍ରଟି ଅଙ୍କାଯାଇଛି। ଯେଉଁଥିରେ କରୋନା ଭୂତାଣୁର ସାଂକେତିକ ଚିତ୍ର କରାଯାଇଥିବା ବେଳେ ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ନର୍ସଙ୍କର ଚିତ୍ର ରହିଛି। ଯେଉଁମାନେ କାନ୍ଥରେ ଚିତ୍ରିତ ଥିବା ଭୂତାଣୁ ଆଡକୁ ମଝି ଆଙ୍ଗୁଠି ଦେଖାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହା ଅଶ୍ଲୀଳ ଇଙ୍ଗିତ ଯାହା ପିଲାଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ। ପଳରେ ଏହି ଚିତ୍ରକୁ ହଟାଇବାକୁ ଦାବି ଉଠିଛି।