୬ ବର୍ଷ ପରେ ନୋ ବଲ୍ ପକାଇ ଚର୍ଚ୍ଚାରେ ଭୁବି

କଲମ୍ବୋ: କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ। ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୨୭୫ ରନ୍ କରିଛି। ଯାହାଫଳରେ ଟିମ୍ ଇଣ୍ଡିଆ ଆଗରେ ୨୭୬ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ଦଳ।
ଟିମ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ବର କୁମାର ଓ ୟୁଜବେନ୍ଦ୍ର ଚାହଲ ୩ଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ଦୀପକ ଚହର ୨ଟି ଓ୍ବିକେଟ ନେଇଛନ୍ତି। ଭୁବନେଶ୍ଵର କୁମାର ନିଜର ସ୍ଵିଙ୍ଗ୍ ବୋଲିଂ ପାଇଁ ପରିଚିତ। ହେଲେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ର ପ୍ରଥମ ମ୍ୟାଚ୍ରେ ସେ ପ୍ରଭାବହୀନ ରହିଥିଲେ। ହେଲେ ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ଭୁବନେଶ୍ବର କୁମାର। ହେଲେ ଭୁବନେଶ୍ଵର ଦ୍ଵିତୀୟ ମ୍ୟାଚ୍ରେ ନୋ ବଲ୍ ଫିଙ୍ଗି ଚର୍ଚ୍ଚାରେ। ଭୁବନେଶ୍ଵର ପ୍ରାୟ ଛଅ ବର୍ଷ ପରେ ନୋ ବଲ୍ ଫିଙ୍ଗିଛନ୍ତି।
କଲମ୍ଵୋରେ ଖେଳାଯାଉଥିବା ତିନି ମ୍ୟାଚ୍ର ସିରିଜ୍ର ଦ୍ଵିତୀୟ ମୁକାବିଲାରେ ଭୁବନେଶ୍ଵର କୁମାର ତୃତୀୟ ଓଭରର ପ୍ରଥମ ବଲ୍ ଫିଙ୍ଗିଥିଲେ। ବ୍ୟାଟିଂ କରୁଥିଲେ ମିନୋଦ ଭାନୁକା। ହେଲେ ପ୍ରଥମ ବଲ୍ ସେ ନୋ ବଲ୍ କରିଥିଲେ। ଭୁବନେଶ୍ଵର କୁମାର ୨୦୧୫ ଅକ୍ଟୋବର ପରେ ପ୍ରଥମ ଥର ନୋ ବଲ୍ ଫିଙ୍ଗିଛନ୍ତି। ଏହି ସମୟରେ ସେ ୩୦୯୩ ବଲ୍ ବୋଲିଂ କରିଛନ୍ତି।
ଭୁବନେଶ୍ଵର ନିଜର ଦିନିକିଆ କ୍ୟାରିୟରରେ କେବଳ ପାଞ୍ଚ ନୋ ବଲ୍ ଫିଙ୍ଗିଛନ୍ତି। ୨୦୧୫ ଅକ୍ଟୋବର ପରଠୁ ନିଜର ଏହି ଦୁଇ ନୋ ବଲ୍ ମଧ୍ୟରେ ଭୁବନେଶ୍ଵର ୫୧୩.୩ ଓଭର ଫିଙ୍ଗିଛନ୍ତି। ଆଜିର ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି।