ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା ସାରି ଆଜି ପୁଣି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିବା କାଳିଆ ସାଆନ୍ତ। ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା।
ତେବେ କଡା କଟକଣା ଭିତରେ ରଥାରୁଢ ହେଲେ ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ନୀତିକାନ୍ତି। ଏହା ପରେ ଛେରାପହଁରା ନୀତି ଓ ଅପରାହ୍ନରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ଏହାପରେ ରଥଟଣା ଆରମ୍ଭ ହେବ।
ସୂଚନାଯୋଗ୍ୟ ଯେ, ବାହୁଡ଼ା ଯାତ୍ରା ପରେ ଆସନ୍ତା ୨୧ରେ ସୁନାବେଶ ଓ ୨୨ରେ ଅଧରପଣାନୀତି, ୨୩ରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ସେଥିପାଇଁ ଗତକାଲି ରାତି ୮ଟାରୁ ଆସନ୍ତା ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯାଇଛି।