ମୁଖ୍ୟମନ୍ତ୍ରୀ ପଦରୁ ୟେଦୁୟେରପ୍ପାଙ୍କ ଇସ୍ତଫା ସଙ୍କେତ!
![](https://www.odishalink.com/wp-content/uploads/2019/07/yeduurapa.png)
କର୍ଣ୍ଣାଟକ: କର୍ଣ୍ଣାଟକରେ ପୁଣି ରାଜନୈତିକ ଅସନ୍ତୋଷ ଦେଖାଦେଇଛି। କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁୟେରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି। ସେ କହିଛନ୍ତି କି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୁଲାଇ ୨୫ ତାରିଖରେ ଯାହା ନିର୍ଦ୍ଦେଶ ଦେବେ ତାକୁ ସେ ଗ୍ରହଣ କରିବେ।
ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପା କହିଛନ୍ତି କି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ମନରେ ମୋ ପ୍ରତି ବହୁତ ସମ୍ମାନ ଓ ଭଲପାଇବା ରହିଛି। ଦଳର ୭୫ ବର୍ଷ ପାର କରିଥିବା କୌଣସି ନେତାଙ୍କୁ କୌଣସି ପଦ ମିଳିନଥିବା ବେଳେ ସେମାନେ ମୋ କାମରେ ପ୍ରଭାବିତ ହୋଇ ମୋତେ ୭୯ ବର୍ଷ ବୟସ ହେବା ଯାଏଁ କାମ କରିବାର ସୁଯୋଗ ଦେଇଛନ୍ତି”
ଅନ୍ୟପଟେ ତେବେ ଇସ୍ତଫା ଦେବା ନେଇ ସଂକେତ ଦେଇଥିଲେ ବି ସେ କହିଛନ୍ତି, ‘ମୋର ଇଚ୍ଛା ରାଜ୍ୟରେ ଦଳକୁ ଆହୁରି ମଜବୁତ କରିବି ଓ ଦଳକୁ ରାଜ୍ୟରେ ପୁଣିଥରେ ସରକାର ଗଠନ କରିବାରେ ସାହାଯ୍ୟ କରିବି। ଜୁଲାଇ ୨୬ରେ ଆମ ସରକାରକୁ ୨ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ଜେ.ପି ନଡ୍ଡା ଯାହା ନିର୍ଦ୍ଦେଶ ଦେବେ ତାହାକୁ ଗ୍ରହଣ କରିବି।
ସୂଚନାଯୋଗ୍ୟ,୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରି ଏକ ନୂଆ ଟିମ୍ ସହାୟତରେ ୨୦୨୪ ନିର୍ବାଚନ ଲଢିବାକୁ ଲକ୍ଷ୍ୟ ରଖିଛି। ଏହି କ୍ରମରେ ଆସାମ ଓ ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।