ଟୋକିଓରେ ଦୂତୀ, ଜାଣିନାହାନ୍ତି ମା’

ଭୁବନେଶ୍ବର: ଶୁକ୍ରବାରଠୁ ବାଜି ସାରିଛି ଅଲିମ୍ପିକ୍ସ ବିଗୁଲ। ୧୨୪ ଜଣ ଭାରତୀୟ ଖେଳାଳି ବିଶ୍ବ କ୍ରୀଡ଼ା ମହାକୁମ୍ଭର କମାଲ କରିବା ପାଇଁ ଟୋକିଓରେ ପହଁଞ୍ଚି ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଆଉ କିଛି ଖେଳାଳି ଶୁକ୍ରବାର ଦିନ ଟୋକିଓରେ ପହଁଞ୍ଚିଛନ୍ତି। ସେ ମଧ୍ୟରୁ ଓଡ଼ିଆ ଝିଅ ଦୂତୀ ଚାନ୍ଦ ଅନ୍ୟତମ।ଭାରତୀୟ ମହିଳା ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ କ୍ରମାଗତ ଦ୍ୱିତୀୟଥର ଲାଗି ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଛନ୍ତି।
ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ଦୂତୀ ଉଭୟ ରାଜ୍ୟ ବରଂ ଦେଶ ପାଇଁ ଗୌରବ ଆଣିଛନ୍ତି। ହେଲେ ଦୂତୀ ଅଲିମ୍ପିକ୍ସକୁ ଯାଇଛନ୍ତି ବୋଲି ତାଙ୍କ ମା’ ଏକଥା ଆଦୌ ଜାଣିନାହାନ୍ତି। ଏହା ଆମେ କହୁନୁ, କହିଛନ୍ତି ଖୋଦ୍ ତାଙ୍କ ମା’ ଅଖାଜି ଚାନ୍ଦ ଗଣମାଧ୍ୟମକକୁ ପ୍ରତିକ୍ରିୟା ଦେଇଛନ୍ତି।
ଦୂତୀଙ୍କ ମା’ କହିଛନ୍ତି ଯେ, ଦୂତୀ ଅଲିମ୍ପିକ୍ସ ଯାଉଛି। ଏକଥା ମୁଁ ତା’ଠାରୁ ଶୁଣିନି। ମୁଁ ଗଣମାଧ୍ୟମ ଠାରୁ ଏକଥା ଜାଣିବାକୁ ପାଇଛି। ସେ ଯଦି ଅଲିମ୍ପିକ୍ସ ଯାଇଛି, ତାହେଲେ ମୁଁ ବହୁତ ଖୁସି। ଠାକୁରଙ୍କୁ ଡାକି ପ୍ରାର୍ଥନା କରୁଛି ସେ ଖେଳରେ ଗୋଟିଏ ମେଡାଲ୍ ଜିତୁ। ସ୍ୱର୍ଣ୍ଣ ପଦକ ଆଣି ଏ ଦେଶକୁ ଦେଉ। ଇତିହାସରେ ତା’ ନାଁ ରହୁ। ଯେଉଁ ହକି ଖେଳାଳିମାନେ ଅଲିମ୍ପିକ୍ସ ଯାଇଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଆଶୀର୍ବାଦ କରୁଛି ଯେ ସେମାନେ ୪୦ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଆମ ଜାତୀୟ ପତାକା ଉଡ଼ାଇ ଖୁସିରେ ଫେରନ୍ତୁ।