କାଶୀ ବିଶ୍ୱନାଥ ମନ୍ଦିରକୁ ଜ୍ଞାନବାପୀ ମସଜିଦ୍ ତରଫରୁ ଉପହାର

ବାରଣାସୀ: ଉତ୍ତର ପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦକୁ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ମସଜିଦ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ସୁନ୍ନୀ ସେଣ୍ଟ୍ରାଲ ଓ୍ୱାକଫ୍ ବୋର୍ଡ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ଜ୍ଞାନବାପୀ ମସଜିଦ ନିକଟରେ ଥିବା ଭୂମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। କାଶୀ ବିଶ୍ୱନାଥ କରିଡରକୁ ୧୭୦୦ ସ୍କୋୟାର ଫୁଟର ଜମି ମିଳିଛି।
ଏହି ଜମି ପ୍ରଦାନକୁ ନେଇ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦର ଯୁଗ୍ମ ସଚିବ କହିଛନ୍ତି ଯେ, ମସଜିଦ ପରିସରରେ ତିନୋଟି ପ୍ଲଟ୍ ରହିଛି। ଏହାମଧ୍ୟରୁ ଗୋଟିଏ ପ୍ଲଟରେ କଣ୍ଟ୍ରୋଲ୍ ରୁମ୍ ହୋଇଥିଲା। ଯାହା ବିଷୟରେ ସେ ସୁନ୍ନୀ ଓ୍ୱାକଫ ବୋର୍ଡକୁ ସୂଚନା ଦେଇଥିଲେ। ବୋର୍ଡର ଅନୁମତି ମିଳିବା ପରେ ପ୍ରାୟ ୧୭୦୦ ବର୍ଗ ଫୁଟର ଜମିକୁ ମନ୍ଦିରକୁ ପ୍ରଦାନ କରାଯାଇଛି।
ଏହି ସମ୍ପତ୍ତିକୁ ଆର୍ଟିକିଲ ୩୧ ଏକ୍ସଚେଞ୍ଜ୍ ଅଫ୍ ପ୍ରପର୍ଟି ଆଦାରରେ ହସ୍ତାନ୍ତର କରାଯାଇଛି। କିନ୍ତୁ ଏହାର ମନ୍ଦିର ଓ ମସଜିଦ ବିବାଦ ସହ କୌଣସି ସମ୍ପର୍କ ନାହିଁ। ବିବାଦକୁ ନେଇ ଏବେ ବି କୋର୍ଟରେ ମାମଲା ଚାଲିଛି।
ଜମି ହସ୍ତାନ୍ତର ପରେ ଏବେ ଏହାକୁ ମନ୍ଦିର ପ୍ରଶାସନର କଣ୍ଟ୍ରୋଲ ରୁମ୍ କରାଯିବ। ପୂର୍ବରୁ ଏହା ସରକାରଙ୍କ ପାଖରେ ଥିଲା। କିନ୍ତୁ ଏଥିରେ ପ୍ରକଳ୍ପ କରିଡର କାମ କରିବା ପାଇଁ ମସଜିଦର ସ୍ୱୀକୃତି ଆବଶ୍ୟକ ଥିଲା। ଏବେ ସ୍ୱୀକୃତି ମିଳିବା ପରେ କରିଡରକୁ ଆହୁରି ଭବ୍ୟ କରାଯିବ।