ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ: ବି ଡଟ୍ ୱାନ ଡଟ୍ ୬୨୧ ଭୂତାଣୁ ଚିହ୍ନଟ
ବ୍ରିଟେନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ। ୧୬ ଜଣଙ୍କ ଠାରେ ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଚିନ୍ତା ପ୍ରକାଶ କରିଛି ଜନସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମୁତାବକ, କରୋନାର ନୂଆ ଷ୍ଟ୍ରେନ୍ଆ ସିଲେ ଅଧିକ ଭୟାବହ ହୋଇପାରେ ତୃତୀୟ ଲହର। କାରଣ କରୋନାର ଦ୍ୱିତୀୟ ଲହରରେ ଅଧିକ ସଂକ୍ରାମକ ହୋଇଛି।
ଏହାରି ଭିତରେ ଇଂଲଣ୍ଡରେ ଦେଖାଯାଇଛି କରୋନାର ନୂଆ ଷ୍ଟ୍ରେନ୍। ଏହି ନୂଆ ପ୍ରକାର ଭୂତାଣୁ-ବି ଡଟ୍ ୱାନ ଡଟ୍ ୬୨୧ ବୋଲି ଚିହ୍ନଟ କରାଯାଇଛି। ପ୍ରାୟ ୧୬ ଜଣଙ୍କଠାରେ ଏହି ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହେବାପରେ ନୂଆ ଷ୍ଟ୍ରେନ୍ ବାବଦରେ ସୂଚନା ଦେଇଛି ବ୍ରିଟେନ୍ ଜନସ୍ୱାସ୍ଥ୍ୟ ବିଭାଗ।
ତେବେ ଏହାର ପ୍ରଭାବ ନେଇ ଅଧିକ କିଛି ଜଣାପଡିନାହିଁ। କରୋନା ଟିକା ଏହି ନୂଆ ଷ୍ଟ୍ରେନ୍ ମାତ୍ ଦେଇପାରିବ ନା ନାହିଁ, ସେନେଇ ଅଧିକ ଗବେଷଣା ଜାରି ରହିଛି। ସେହିପରି ଏହା କେତେ ଦ୍ରୁତ ବେଗରେ ସଂକ୍ରମିତ ହେବ ଏବଂ ଆକ୍ରାନ୍ତଙ୍କ ଅବସ୍ଥା କେତେ ସଂକଟାପନ୍ନ ହେବ ସେନେଇ ମଧ୍ୟ ଅଧିକ ଅଧ୍ୟୟନ କରାଯାଉଛି। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନାର ଏହି ଷ୍ଟ୍ରେନ୍ ଇଂଲଣ୍ଡ ପାଇଁ ନୂଆ ହୋଇଥିଲେ ମଧ୍ୟ, ଗତ ଜାନୁଆରୀରରେ ଏହା କଲମ୍ବିୟାରେ ଦେଖାଯାଇଥିଲା।