ବର୍ଷକରେ PMO ଛାଡ଼ିଲେ ୨ ବରିଷ୍ଠ ଅଧିକାରୀ, ପିଏମ୍ ମୋଦୀଙ୍କ ପରାମର୍ଶଦାତା ଅମରଜିତ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଅମରଜିତ ସିହ୍ନା। ଏନେଇ ପିଏମ୍ଓ କାର୍ଯ୍ୟାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କେଉଁ କାରଣରୁ ଅମରଜିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ୧୯୮୩ ବ୍ୟାଚର ବିହାର କ୍ୟାଡରର ଏହି ଆଇଏଏସ୍ ଅଫିସରଙ୍କୁ ଏବେ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା।
ଗତବର୍ଷ ଫେବୃଆରୀ ମାସରେ ଅମରଜିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ। ଅମରଜିତ ପିଏମଓରେ ପରାମର୍ଶଦାତା ଓ ସାମାଜିକ କ୍ଷେତ୍ର ସହିତ ଜଡ଼ିତ ଯୋଜନା ଉପରେ ନଜର ରଖୁଥିଲେ।
ସବୁଠୁ ବଡ଼କଥା ହେଲା ବର୍ଷକ ମଧ୍ୟରେ ପିଏମଓରୁ ଦୁଇ ଜଣ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ସିହ୍ନା ଇସ୍ତଫା ଦେଇଥିଲେ। ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେବା ପରେ ତାଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା।
ପୂର୍ବରୁ ସିହ୍ନା ଶିକ୍ଷା ଓ ପଞ୍ଚାୟତିରାଜ ମନ୍ତ୍ରାଳୟ ର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିଲେ। ତାଙ୍କର ନ୍ୟାସନାଲ ରୁରାଲ ହେଲଥ ମିଶନ ଓ ସର୍ବଶିକ୍ଷା ଅଭିଯାନ ଭଳି ଯୋଜନାରେ ତାଙ୍କର ପ୍ରମୁଖ ଭୂମିକା ଥିଲା।