ବାହାଘର ପୂର୍ବରୁ ଚମ୍ପଟ ମାରିଲା ବର, ଉଦ୍ଧାର ହେଲା କନ୍ୟାର ମୃତଦେହ

ଢେଙ୍କାନାଳ: ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ। ପ୍ରେମ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି। କିଛି ସମୟ ପରେ ବରଣମାଳା ପିନ୍ଧିଥାନ୍ତେ ଉଭୟେ। ବିବାହ ପାଇଁ କନ୍ୟା ହେଉଥିଲା ସଜବାଜ। ହେଲେ ବିବାହ ପୂର୍ବରୁ ଘରୁ ମିଳିଲା କନ୍ୟାର ଝୁଲନ୍ତା ମୃତଦେହ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ କଲୋନୀ ସାହିରେ ବାହାଘର ବେଳେ ଘଟିଛି ଏଭଳି ଅଘଟଣ। କନ୍ୟାଘର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।
ମିଳିଥିବା ସୂଚନା ମୁତାବିକ, ବିବାହ ପାଇଁ କନ୍ୟା ହେଉଥିଲା ସଜବାଜ। ହେଲେ ବେକରେ ଲାଗିଲା ପିନ୍ଧା ଲୁଗାର ଫାଶୀ।ମୃତକ ସେହି ଗ୍ରାମର ସସ୍ମିତା ନାଏକ ବୋଲି ଜଣାପଡିଛି । ନିଜ ଘର ଫ୍ୟାନରେ ବେକରେ ପିନ୍ଧା ଲୁଗା ଲଗାଇ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ହିନ୍ଦୋଳରୋଡ଼ ଫାଣ୍ଡି ପୁଲିସ।
ଅନ୍ୟପଟେ ବିବାହ ପାଇଁ ଥିବା ବର ଚମ୍ପଟ ମାରିଛି। ଫେରାର ଥିବା ବର ବା ଯୁବକ ଜଣଙ୍କ ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ପୁକୁଟୁଙ୍ଗା ଗ୍ରାମର ସିଲୁ ବେହେରା। ସିଲୁର ସସ୍ମିତାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ତେବେ ବିବାହ ପାଇଁ ଜିଦ ଧରିବାରୁ ଦିନ ଗଡାଇ ଚାଲିଥିଲା ସିଲୁ। ବୁଝାସୁଝା ପରେ ସିଲୁ, ସସ୍ମିତାର ଘରେ ଆସି ଗତ ଏକ ମାସ ଧରି ରହିଥିଲା। ସୋମବାର ଉଭୟଙ୍କ ପ୍ରେମ ବିବାହ ପାଇଁ ସଜବାଜ ଚାଲିଥିଲା। ମାତ୍ର କିଛି ସମୟ ପୂର୍ବରୁ ସିଲୁ ଚମ୍ପଟ ମରିଥିବାବେଳେ ସେପଟେ କନ୍ୟା ସସ୍ମିତାର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଏପରିସ୍ଥଳେ ସସ୍ମିତା ର ପରିବାର ପକ୍ଷରୁ ତାଙ୍କ ଝିଅକୁ ମାରି ଟାଙ୍ଗିଦେଇ ସିଲୁ ପଳାଇଥିବା ଅଭିଯୋଗ ଉଠାଇଛନ୍ତି। ଫଳରେ ପୁଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।