ଭାରତରେ ପହଁଞ୍ଚିଲେ ପଦକ ବିଜୟିନୀ ପିଭି ସିନ୍ଧୁ, କହିଲେ…

ନୂଆଦିଲ୍ଲୀ: ଟୋକିଓରେ ପଦକ ଜିତିବା ପରେ ଭାରତରେ ପହଁଞ୍ଚିଲେ ପଦକ ବିଜୟୀନି ପିଭି ସିନ୍ଧୁ। ଷ୍ଟାର ବ୍ୟାଡମିଣ୍ଟନ୍ ଖେଳାଳି ସିନ୍ଧୁ ମଙ୍ଗଳବାର ଭାରତରେ ପହଁଞ୍ଚିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା ଦିଆଯାଇଛି। ସିନ୍ଧୁଙ୍କ ସହ ତାଙ୍କ କୋଚ୍ ମଧ୍ୟ ରହିଥିଲେ।
ଭାରତରେ ପହଁଞ୍ଚିବା ପରେ ସିନ୍ଧୁ କହିଛନ୍ତି ଯେ, ଦେଶ ପାଇଁ ପଦକ ଜିତିଥିବାରୁ ମୁଁ ବହୁତ ଖୁସି। ମୁଁ ବ୍ୟାଡମିଣ୍ଟନ ଆସୋସିଏସନ ସହିତ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋତେ ସମର୍ଥନ ଦେବା ସହ ମୋର ଉତ୍ସାହ ବଢାଇଥିଲେ। ଏହା ବହୁତ ଖୁସିର ମୁହୂର୍ତ୍ତ ବୋଲି ସିନ୍ଧୁ କହିଛନ୍ତି।
ସେମି ଫାଇନାଲରେ ପରାଜିତ ହେବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରି ସିନ୍ଧୁ ଟୋକିଓ ଅଲିମ୍ପିକରେ କାଂସ୍ୟ ଜିତିବାରେ ସଫଳ ହୋଇଥିଲେ। ଟୋକିଓ ଅଲିମ୍ପିକରେ ସେ ଭାରତକୁ ଦ୍ଵିତୀୟ ପଦକ ଜିତାଇଛନ୍ତି। ସିନ୍ଧୁ ଅଗଷ୍ଟ ୧ରେ କାଂସ୍ୟ ପଦକ ମୁକାବିଲାରେ ଚୀନର ଜିଆଓ ବିଙ୍ଗଙ୍କୁ ୨୧-୧୩, ୨୧-୧୫ ସିଧାସଳଖ ଗେମରେ ହରାଇଥିଲେ। ଏଥିସହ ସିନ୍ଧୁ ସୁଶୀଲ କୁମାରଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ସିନ୍ଧୁ ୨୦୧୬ ରିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିଲେ। ସୁଶୀଲ କୁମାର ମଧ୍ୟ ୨୦୦୮ ବେଜିଂ ଅଲିମ୍ପିକରେ କାଂସ୍ୟ ଓ ୨୦୧୨ ଲଣ୍ଡନ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିଲେ।