ହନି ସିଂହଙ୍କ ନାଁରେ ଏତଲା, ଅଭିଯୋଗ ଆଣି ପତ୍ନୀ କହିଲେ…

ମୁମ୍ବାଇ: ବଲିଉଡ୍ କଣ୍ଠଶିଳ୍ପୀ ତଥା ରାପର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା। ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଲିନୀ ତଲୱାର। କେବଳ ହନି ସିଂହ ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ଶାଲିନୀ, ଯାହାକୁ ନେଇ ଦିଲ୍ଲୀ ତିଶ ହଜାରି କୋର୍ଟ ହନି ସିଂହଙ୍କୁ ନୋଟିସ ଜାରି କରିଛି ।
ହନି ସିଂହଙ୍କୁ ଅଗଷ୍ଟ ୨୮ ସୁଦ୍ଧା ନିଜ ଜବାବ ରଖିବାକୁ କହିଛନ୍ତି କୋର୍ଟ। ଏଥିସହ ପତ୍ନୀଙ୍କ ସହ ଜଏଂଟ ପ୍ରପର୍ଟି ବିକ୍ରି କରିବା ଉପରେ ମଧ୍ୟ ଷ୍ଟେ ଅର୍ଡର ଜାରି କରିଛନ୍ତି କୋର୍ଟ। ହନି ସିଂହ ୨୦୧୧ରେ ଶାଲିନୀଙ୍କୁ ପ୍ରେମ ବିବାହ କରିଥିଲେ। ସେ ୨୦୧୪ ମସିହାରେ ଶାଲିନୀଙ୍କୁ ରିୟାଲିଟି ସୋ’ ଇଣ୍ଡିଆଜ ର-ଷ୍ଟାରରେ ପ୍ରଥମ କରି ସମସ୍ତଙ୍କ ସହ ପରିଚିତ କରାଇଥିଲେ।
ତେବେ ବିବାହର ଏତେ ଦିନ ପରେ ହଠାତ ଶାଲିନୀଙ୍କ ଏଭଳି ସଙ୍ଗୀନ ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁବେଳେ ନିଜ ରାପ ପାଇଁ ଚର୍ଚ୍ଚାରେ ରହୁଥିବା ହନି ସିଂହ ଏବେ ଘରୋଇ ହିଂସା ବିବାଦରେ ଛନ୍ଦି ହୋଇ ଯାଇଛନ୍ତି।