ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ପୁଲିସ୍କୁ ଡେମୋ ଦେଖାଇବେ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୩ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୃତ୍ୟୁ ଉପରୁ ପରଦା ହଟୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଗଜପତି ପୋଲିସ ଡିଏଫ୍ଓ ଏବଂ ରୋଷେୟାଙ୍କୁ କ୍ଲିନଚିଟ୍ ଦେବା ପରେ ସମସ୍ତଙ୍କ ନଜର ବିଦ୍ୟାଭାରତୀଙ୍କ ଉପରେ ରହିଛି।
ପୁଲିସ୍ ବିଦ୍ୟାଭାରତୀଙ୍କୁ ଦୀର୍ଘ ସାଢେ ଚାରି ଘଣ୍ଟା ଜେରା କରି ପୁଣି ପୋଲିସ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ନେବା ନିମନ୍ତେ କପ୍ତିପଦା ଯାଇଛି। ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିଦ୍ୟାଭାରତୀଙ୍କୁ ନେଇ ଯିବା ନିମନ୍ତେ ଆସିଥିବା ବେଳେ ସିନ ରିକ୍ରିଏସନ ପାଇଁ, ତଦନ୍ତ ପାଇଁ କିମ୍ବା ଅଜ୍ଞାତବାସରେ ରଖି ଜେରା କରିବା ନିମନ୍ତେ ପୋଲିସ ବିଦ୍ୟାଙ୍କୁ ନେବାକୁ ଆସୁଥିବା ଅନୁମାନ କରାଯାଉଛି।
ଅନ୍ୟପଟେ, ଘଟଣାଦିନ ସୌମ୍ୟରଞ୍ଜନଙ୍କ ଦେହରେ କିଭଳି ନିଆଁ ଲାଗିଲା ତାହାର ପ୍ରତ୍ୟକ୍ଷଦର୍ଶୀ କେବଳ ବିଦ୍ୟାଭାରତୀ। ସୌମ୍ୟରଞ୍ଜନ ୯୦ ପ୍ରତିଶତ ଜଳିବା ପର୍ଯ୍ୟନ୍ତ ବିଦ୍ୟାଭାରତୀ କ’ଣ କରୁଥିଲେ, କାହାକୁ ସାହାଯ୍ୟ ପାଇଁ ଡାକିଥିଲେ ନା ସେ ନିଜେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ସୌମ୍ୟରଞ୍ଜନ ଜଳିଯିବାପରେ ପ୍ରଥମେ କାହାକୁ ଡାକି ହସ୍ପିଟାଲ୍କୁ ନେଲେ, କଟକ ସ୍ଥାନାନ୍ତରବେଳେ ବନ ବିଭାଗ କାର୍ଯ୍ୟାଳୟ ଗେଟ୍ ପାଖରେ ଆମ୍ବୁଲାନ୍ସ ୧୫ ମିନିଟ୍ କାହିଁକି ଅଟକିଥିଲା, କ୍ୱାର୍ଟର୍ସକୁ ଆସି ସେ କ’ଣ ଜିନିଷ ନେଇଥିଲେ, ଏମିତି ଅନେକ ତଥ୍ୟ ଅଧାରରେ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ପୁଲିସ ଘଟଣାସ୍ଥଳର ଛାନ୍ଭିନ୍ କରିବ ବୋଲି ଜଣାପଡ଼ିଛି ।
ପାରଳାଖେମୁଣ୍ଡି ପୁଲିସ୍ର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିବାବେଳେ ସୌମ୍ୟରଞ୍ଜନଙ୍କ ଭାଇ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଲିଖିତ ଏକ ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦେଇଛନ୍ତି।