ଫ୍ଲିପକାର୍ଟକୁ ଇଡିର ନୋଟିସ୍, ଲାଗିପାରେ ୧୦ ହଜାର କୋଟିର ଜରିମାନା

ନୂଆଦିଲ୍ଲୀ:ଫ୍ଲିପକାର୍ଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସ୍। ଇଡି ପକ୍ଷରୁ ଦେଶର ସର୍ବବୃହତ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ପ୍ରତିଷ୍ଠାତା ସଚିନ ବଂଶଲ ଓ ବିନ୍ନୀ ବଂଶଲ ଓ ଅନ୍ୟ ୯ ଜଣଙ୍କ ନିକଟକୁ ଫୋରେକ୍ସ ଆଇନ ଉଲଘଂନ ନେଇ ନୋଟିସ୍ ଜାରି କରିଛି। ଏହି ନୋଟିସ ଜରିଆରେ ଇଡି ସେମାନଙ୍କ ଠାରୁ ବୈଦେଶିକ ପୁଞ୍ଜି ନିବେଶ ଆଇନ ଉଲଘଂନ କରିଥିବା ଅଭିଯୋଗ ଉପରେ ଜବାବ୍ ମାଗିଛି।
ସନ୍ତୋଷଜନକ ଜବାବ ଦେଇ ନପାରିଲେ ଏମାନଙ୍କ ଉପରେ ୧୦ ହଜାର କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇବାକୁ ଇଡି ଚେତାବନୀ ଦେଇଛି। ଇଡି ପକ୍ଷରୁ ଫ୍ଲିପକାର୍ଟ ଓ ଅନ୍ୟ ୯ ଜଣଙ୍କୁ ଏହି ମାମଲାର ଜବାବ ରଖିବାକୁ ୯୦ ଦିନ ସମୟ ଦେଇଛି।
ସୂଚନା ମୁତାବକ, ଫ୍ଲିପକାର୍ଟ ୨୦୦୯-୨୦୧୫ ମଧ୍ୟରେ ବିଦେଶୀ ନିବେଶ ଯୋଗାଡ କରିବାକୁ ବିଦେଶୀମୁଦ୍ରା ବିନିମୟ ଅଧିନିୟମ (ଏଫଇଏମଏ) ଆଇନର ଉଲଙ୍ଘନ କରିଥିଲା। ଏହି ମାମଲାରେ ଫ୍ଲିପକାର୍ଟ ପକ୍ଷରୁ ବି ଏକ ବୟାନ ଜାରି କରାଯାଇଛି। କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଇଡିର ନୋଟିସ୍ ମୁତାବକ ଏହି ମାମଲା ୨୦୦୯ ରୁ ୨୦୧୫ ମଧ୍ୟରେ ହୋଇଛି। ଏହି ମାମଲାରେ କମ୍ପାନୀ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି।