ସାମ୍ବାଦିକଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ ଭାଇରାଲ, ବଦଳିଲେ ମଦ୍ୟପ ଥାନା ଅଧିକାରୀ

ଜଗତସିଂହପୁର: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇ ହରଡ଼ଘଣାରେ ପୁଲିସ୍ ବାବୁ। ମଦ୍ୟପ ଥାନା ଅଧିକାରୀ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଦ୍ୟପ ଥାନା ଅଧିକାରୀ ନିଶାସକ୍ତ ଅବସ୍ଥାରେ ଉନ୍ମତକାଣ୍ଡ ଘଟାଇବା ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କ ନିକଟରେ ସୁପାରିସ କରିଛନ୍ତି ଜଗତସିଂହପୁର ଏସ୍ପି।
ଏହାପରେ ମଦ୍ୟପ ଥାନା ଅଧିକାରୀ ଅଜୟ ମୁଦୁଲିଙ୍କୁ ତୁରନ୍ତ ବଦଳି କରାଯାଇଛି। ଥାନା ଅଧିକାରୀଙ୍କୁ ତୁରନ୍ତ ବନ୍ଦର ସାମୁଦ୍ରିକ ଥାନାରୁ ଅପସାରଣ କରାଯାଇ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ନାଉଗାଁ ଥାନା ଆଇଆଇସି ଭରତ ଚନ୍ଦ୍ର ବେହେରାଙ୍କୁ ସାମୁଦ୍ରିକ ଥାନାର ଦାୟିତ୍ବ ଦିଆଯାଇଛି।
ଅଭିଯୋଗ ଅନୁସାରେ ବନ୍ଦର ଥାନା ଆଇଆଇସି ଅଜୟ ମୁଦୁଲି ଗୁରୁବାର ରାତିରେ ନିଶାସକ୍ତ ଅବସ୍ଥାରେ ମରିଚିପୁର ଛକରେ ଲୋକମାନଙ୍କୁ ଗାଳିଗୁଲଜ କରୁଥିବା ଖବର ପାଇ ବିଶ୍ଵଜିତ ବରାଳ ନାମକ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ।
ନିଜ କ୍ୟାମେରାରେ ଭିଜୁଆଲ ରେକର୍ଡିଂ କଲାବେଳେ ଆଇଆଇସି ଶ୍ରୀ ମୁଦୁଲି ତାଙ୍କୁ ଏକ ଚାପୁଡ଼ା ମାରିବା ସହିତ କ୍ୟାମେରା ଛଡ଼ାଇବାକୁ ଉଦ୍ୟମ କରିଥିବା ବିଶ୍ଵଜିତ ଆଜି ଜଗତସିଂହପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଶ୍ଵଜିତ।