ଆଜିଠୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକନିକ କଲେଜ ଖୋଲିବ। ରାଜ୍ୟ ସରକାରଙ୍କ ଏସ୍ଓପି ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲାଯିବ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜରେ କ୍ଲାସ୍ ବ୍ୟବସ୍ଥା ହେବ।
ଆଇଟିଆଇ, ପଲିଟେକନିକ୍ ଭଳି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଖୋଲିବ। ଅନ୍ୟ କ୍ଲାସ୍ଗୁଡ଼ିକ ଅବସ୍ଥା ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଯେଉଁମାନେ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କଣ୍ଟେନ୍ମେଣ୍ଟ ଜୋନ୍ରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ। ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ନିୟମିତ ଭାବେ ହ୍ୟାଣ୍ଡୱାସ୍ ଓ ହାତ ସାନିଟାଇଜ୍ କରିବେ। କ୍ଲାସରୁମ୍, ଲାଇବ୍ରେରି, ଲାବରେଟୋରିରେ ୬ ଫୁଟ୍ର ସାମାଜିକ ଦୂରତା ରକ୍ଷା କରିବେ।
କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁକୁ ଭଲ ଭାବେ ଘୋଡ଼ାଇବେ। ଅସୁସ୍ଥତା ଅନୁଭବ କଲେ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ସମସ୍ତ ହଷ୍ଟେଲରେ ସଂଗରୋଧ ରୁମ୍ ରଖିବାକୁ ବାଧ୍ୟତାମୂଳକ ହୋଇଛି।