ପ୍ରାର୍ଥୀ ଚୟନର ୪୮ଘଣ୍ଟା ଭିତରେ ଦେବାକୁ ହେବ ଅପରାଧିକ ତଥ୍ୟ: ସୁପ୍ରିମକୋର୍ଟ
![](https://www.odishalink.com/wp-content/uploads/2019/12/supreme-court.jpg)
ନୂଆଦିଲ୍ଲୀ: ରାଜନୀତିକୁ ଅପରାଧମୁକ୍ତ କରିବା ନିମନ୍ତେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଜଣାଇବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଥିବ ଅଥବା କୌଣସି ମାମଲାରେ ସେ ଅଭିଯୁକ୍ତ ଥିବେ। ତା’ହେଲେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ବାବଦରେ ସମସ୍ତ ତଥ୍ୟ ଦେବେ।ରାଜନୈତିକ ଦଳ ନିର୍ବାଚନ ପାଇଁ ଚୟନ କରିଥିବା ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶିତ କରିବେ।
ଜଷ୍ଟିସ୍ ଆର.ଏଫ୍. ନରିମାନ ଏବଂ ବି.ଆର. ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ନେଇ ୨୦୨୦ ଫେବ୍ରୁଆରୀ ୧୩ରେ ଦେଇଥିବା ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି । ୨୦୨୦ ନିଷ୍ପତ୍ତିର ପାରାଗ୍ରାଫ ୪.୪ରେ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ଅଥବା ନାମାଙ୍କନ ଦାଖଲ ପୂର୍ବରୁ ଅତି କମରେ ୨ ସପ୍ତାହ ପୂର୍ବରୁ ଅପରାଧିକ ତଥ୍ୟ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ଏହି ରାୟରେ ସଂଶୋଧନ କରାଯାଇଛି। ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ହିଁ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ନେଇ ସୂଚନା ଦେବାକୁ ରାଜନୈତିକ ଦଳମାନଙ୍କୁ କୁହାଯାଇଛି।