ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର ଅପୂର୍ବ ଦୃଶ୍ୟ, ଦେଖନ୍ତୁ ଫଟୋ
ପୁରୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର କିଛି ଅପୂର୍ବ ଦୃଶ୍ୟ। ଯେଉଁଥିରେ ଶ୍ରୀମନ୍ଦିରର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ସୂର୍ଯ୍ୟଙ୍କ କିରଣରେ ଝଲିସି ଉଠିଛି ଶ୍ରୀମନ୍ଦିର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଫଟୋକୁ ସେୟାର କରିବା ସହିତ ଜୟ ଜଗନ୍ନାଥ ଲେଖିଛନ୍ତି। ଏଥିସହିତ ଯୁବ ଫଟୋଗ୍ରାଫର ସମରେନ୍ଦ୍ର ଦାଶଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀ ମନ୍ଦିରର ଅପୂର୍ବ ଦୃଶ୍ୟ ଗୁଡ଼ିକୁ ନିଜ କ୍ୟାମେରା ଲେନ୍ସରେ କଏଦ କରି ଚର୍ଚ୍ଚାରେ ଏବେ ଯୁବ ଫଟୋଗ୍ରାଫର ସମରେନ୍ଦ୍ର ଦାଶ।
ଦୀର୍ଘ ଦିନ ପରେ ଆଜିଠୁ ଖୋଲିଲା ଶ୍ରୀମନ୍ଦିର। ସକାଳୁ ସକାଳୁ କଳା ସାଆନ୍ତେଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାରକୁ ଦର୍ଶନ କରିବାକୁ ଅନୁମତି ମିଳିଛି।
ସେହିପରି ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଓ୍ୱାର୍ଡଓ୍ୱାରୀ ଦର୍ଶନ କରିବେ। ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଦିଆଯିବ ସ୍ୱତନ୍ତ୍ର ଚିରକୁଟି। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ସଦସ୍ୟ ଯାଇ ଦର୍ଶନ କରିବେ। ସେହିପରି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ ୯୬ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ନଚେତ୍ ଡବଲ୍ ଡୋଜ୍ କରୋନା ଟୀକା ରିପୋର୍ଟ ଦେଖାଇ ପାରିବେ। ସେହିପରି ୨୩ ତାରିଖରୁ ସମସ୍ତଙ୍କୁ ଜଗା ଦର୍ଶନ କରିବା ପାଇଁ ମିଳିବ ଅନୁମତି। ଏନେଇ ମନ୍ଦିର ପ୍ରଶାସନ ଘୋଷଣା କରି ସାରିଛି।
ମନ୍ଦିରକୁ ପ୍ରବେଶ ଓ ଦର୍ଶନବେଳେ ମାସ୍କ ପରିଧାନ, ସାମାଜିକ ଦୂରତା ଆଦିକୁ କଡ଼ାକଡ଼ି ପାଳନ କରିବାକୁ ଏସ୍ଓପିରେ ଦର୍ଶାଯାଇଛି। ଶ୍ରୀମନ୍ଦିର ଭିତରକୁ କୌଣସି ଶ୍ରଦ୍ଧାଳୁ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ। କୌଣସି ପାର୍ଶ୍ୱ ଦେବାଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ଶ୍ରଦ୍ଧାଳୁ। ସେହିପରି ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଭୋଜନକୁ ବାରଣ କରାଯାଇଛି। ଛେପ ପକାଇଲେ ୫୦୦ ଏବଂ ପଲିଥିନ ନେଲେ ୧୦୦ ଟଙ୍କା ଜୋରିମାନା ଦେବାକୁ ବି ପଡିବ।