ବଡ଼ ଧରଣର ଆକ୍ରମଣ ଯୋଜନା କରୁଛି ଆତଙ୍କୀ ସଙ୍ଗଠନ: ଗୁଇନ୍ଦା ବିଭାଗ
ଦିଲ୍ଲୀରୁ କଶ୍ମୀର ଯାଏ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ପାକିସ୍ତାନର ଦୁଇ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତାଏବା। ଗୁଇନ୍ଦା ବିଭାଗ ଏପରି ତଥ୍ୟ ଦେବା ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି।
ଗୁଇନ୍ଦା ବିଭାଗ ମୁତାବକ, ଭାରତରେ ହିଂସା ସୃଷ୍ଟି କରିବା ପାଇଁ ଲସ୍କର ଓ ଜୈଶ ବିସ୍ତୃତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଭାରତକୁ ଆସିବାରେ ଲାଗିଛି। ସେମାନଙ୍କ ଟାର୍ଗେଟରେ ସୁରକ୍ଷାକର୍ମୀଙ୍କ ପ୍ରତିଷ୍ଠାନ ଓ ଫରୱାର୍ଡ ପୋଷ୍ଟ ରହିଛି। କଶ୍ମୀରରୁ ଦିଲ୍ଲୀ ମଧ୍ୟରେ ଆକ୍ରମଣ କରିବାର ଯଥେଷ୍ଟ ଆଶଙ୍କା ରହିଥିବା ଏକାଧିକ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ସୂଚନା ଦିଆଯାଇଛି।
ଏହି ସୂଚନା ପରେ ଦିଲ୍ଲୀରୁ କଶ୍ମୀର ଯାଏ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟରେ ରଖାଯାଇଛି। ଅଗଷ୍ଟ ୧୫ କିମ୍ବା ଏହା ପୂର୍ବରୁ ଆକ୍ରମଣ ହେବାର ଆଶଙ୍କା ରହିଛି। ଏଥିପାଇଁ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହ ଭାରତରେ ପ୍ରବେଶ କରାଇବାକୁ ଚେଷ୍ଟା କରାଯିବ। ବିଶେଷ କରି ସୀମାନ୍ତ ଅଞ୍ଚଳରେ ଏପରି ଘଟିପାରେ। ତେଣୁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ଆଇଇଡି ଦ୍ୱାରା ସେମାନେ ସୁରକ୍ଷାକର୍ମୀଙ୍କ ପ୍ରତିଷ୍ଠାନ, ଫରୱାର୍ଡ ପୋଷ୍ଟ ଓ ପ୍ରତିରକ୍ଷା ବିଭାଗର ବିଭିନ୍ନ କେନ୍ଦ୍ରକୁ ଆକ୍ରମଣ କରିବାକୁ ମଧ୍ୟ ମସୁଧା କରିଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଲସ୍କର କମାଣ୍ଡର ମହମ୍ମଦ ସିଦ୍ଦିକ ନେତୃତ୍ୱରେ ୬ ଜଣ ବରିଷ୍ଠ ସଦସ୍ୟ ଏକାଠି ହୋଇଛନ୍ତି। ସେମାନେ ଅନ୍ୟ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଲକ୍ଷ୍ୟ ରଖିଛନ୍ତି।
ସେହିପରି ଜୈଶର ୫ ଜଣ ଆତଙ୍କବାଦୀ ପିଓକେର ଦାତୋତେରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ଏମାନେ ସୁରକ୍ଷାକର୍ମୀଙ୍କ ଫରୱାର୍ଡ ପୋଷ୍ଟରେ ଆଇଇଡି ବିସ୍ଫୋରଣ କରିବାକୁ ଯୋଜନା କରିଛନ୍ତି। ପିଓକେରେ ଟୁଣ୍ଡୱାଲା ଜଙ୍ଗଲ ଅଞ୍ଚଳରେ ବି ୪ଜଣ ଲସ୍କର ଆତଙ୍କୀ ଲୁଚି ରହିଛନ୍ତି ବୋଲି ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।