୧୫୨ ପୁଲିସଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ, ଓଡ଼ିଶାରୁ ପାଇବେ ୪
ନୂଆଦିଲ୍ଲୀ: ତଦନ୍ତରେ ଔତ୍କର୍ଷ୍ୟ ପାଇଁ ୧୫୨ ପୁଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ ୨୦୧୮ରେ ଦିଆଯିବା ଆରମ୍ଭ କରାଯାଇଥିଲା।
ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀ ରହିଛନ୍ତି। ୪ଜଣ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ସବ- ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ ଏବଂ ସବ- ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ।
ଏହି ୪ଜଣଙ୍କ ବ୍ୟତୀତ ୧୫ଜଣ ସିବିଆଇରୁ, ୧୧ଜଣ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପୁଲିସରୁ, ୧୦ଜଣ ଉତ୍ତରପ୍ରଦେଶରୁ, ୯ ଜଣ କେରଳ ଏବଂ ରାଜସ୍ଥାନ ପୁଲିସରୁ, ୮ ଜଣ ତାମିଲନାଡୁ ପୁଲିସରୁ, ୭ଜଣ ବିହାରରୁ ଓ ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୁଲିସରୁ ୬ଜଣ ଲେଖାଏଁ ପୁଲିସ କର୍ମଚାରୀ ରହିଛନ୍ତି। ଏଥିମଧ୍ୟରେ ୨୮ ମହିଳା ପୁଲିସ ଅଧିକାରୀ ରହିଛନ୍ତି।