ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ଚାଲିଗଲା ଆଉ ୬୦ ଜଣଙ୍କ ଜୀବନ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ରାଜ୍ୟରେ ୧୧୯୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୭୫୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମୃତକଙ୍କ ମଧ୍ୟରେ ବରଗଡରୁ ସର୍ବାଧିକ ୧୩ ଜଣ, କଟକ ଜିଲ୍ଲାରୁ ୧୧ଜଣ, ବଲାଙ୍ଗୀରରୁ ୬ଜଣ, ଅନୁଗୁଳ, ଜଗତସିଂହପୁର ଓ ସମ୍ୱଲପୁରରୁ ୫ ଜଣ ଲେଖାଏଁ, ଦେବଗଡରୁ ୪ ଜଣ, ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏଁ ରହିଛନ୍ତି। ବାଲେଶ୍ୱରରୁ ଓ ଝାରସୁଗୁଡାରୁ ୨ଜଣ ଲେଖାଏଁ, ଭଦ୍ରକରୁ ଜଣେ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୯୨ ହଜାର ୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୦ ହଜାର ୮୦୯ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୭୪ ହଜାର ୭୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।